ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୧୯୮୪ ଶିଖ ବିରୋଧୀ ଦଙ୍ଗାକୁ ନେଇ ବହୁତ ବଡ ଟିପ୍ପଣୀ କରିଛନ୍ତି । ଆମେରିକାର ବ୍ରାଉନ ୟୁନିଭର୍ସିଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସର ଭୁଲକୁ ରାହୁଲ ସ୍ୱୀକାର କରିଛନ୍ତି । ରାହୁଲ କହିଛନ୍ତି, ସେ ପାର୍ଟିର ଇତିହାସରେ ହୋଇଥିବା ଭୁଲର ଉତ୍ତରଦାୟୀ ନେବାକୁ ପ୍ରସ୍ତୁତ । ୱାଟସନ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନ୍ୟାସନାଲ ଆଣ୍ଡ ପବ୍ଲିକ ଅଫାୟର୍ସରେ ଆୟୋଜିତ ଏକ ସେସନରେ ଜଣେ ଯୁବକ ଏ ସଂପର୍କରେ ପ୍ରଶ୍ନ କରିଥିଲେ ।
ଶିଖ ଯୁବକ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ କହିଥିଲେ ବିଜେପି ଅମଳରେ ଶିଖମାନଙ୍କୁ କଡା ପିନ୍ଧିବା ଓ ପଗଡି ବାନ୍ଧିବାକୁ ରୋକା ଯାଉଛି, ମାତ୍ର କଂଗ୍ରେସ ତ ନିଜେ ଶିଖମାନଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇ ନ ଥିଲା । କଣ ଆପଣ ୧୯୮୪ର ଦଙ୍ଗାରେ ସଜ୍ଜନ କୁମାରଙ୍କ ପରି ନେତାଙ୍କୁ ବଞ୍ଚାଇବା ପାଇଁ ପାର୍ଟିର ରହିଥିବା ଭୁମିକା ପାଇଁ ଦାୟୀ ହେବେ କି ?
ରାହୁଲ ଯୁବକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ସେହି ସମୟରେ ବହୁତ ଭୁଲ ହୋଇଛି । ସେହି ସମୟରେ ମୁଁ ରାଜନୀତିରେ ନ ଥିଲି । ତଥାପି ଅତୀତରେ କଂଗ୍ରେସ ଦ୍ୱାରା ହୋଇଥିବା ଭୁଲର ଉତ୍ତରଦାୟୀ ନେବାକୁ ମୁଁ ପ୍ରସ୍ତୁତ । ମୁଁ ସାର୍ବଜନୀନ ଭାବେ କହିଛି ଯେ, ୧୯୮୪ରେ ଯାହା ଘଟିଥିଲା ତାହା ବହୁତ ବଡ ଭୁଲ ଥିଲା । ମୁଁ ଅନେକ ଥର ସ୍ୱର୍ଣ୍ଣ ମନ୍ଦିର ଯାଇଛି ଏବଂ ଶିଖ ସମୁଦାୟ ସହ ମୋର ଉତ୍ତମ ସମ୍ବନ୍ଧ ରହିଛି । ବିଜେପି ଶାସନକାଳରେ ଧାର୍ମିକ ସ୍ୱାଧୀନତାକୁ ନେଇ ଯେଉଁ ଡର ରହିଛି, ତାହା ବାସ୍ତବ ଅଟେ ବୋଲି ରାହୁଲ କହିଛନ୍ତି ।