ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ପାନେ ଦେବାକୁ ଭାରତ ସରକାର ସିନ୍ଧୁ ଜଳ ସନ୍ଧି ରଦ୍ଦ ଘୋଷଣା କରିଥିଲେ। ଯାହାକୁ ନେଇ ପାକିସ୍ତାନ ଖୁବ୍ ଚିନ୍ତାରେ। ଆଉ ଏବେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଛି। ପିଟିଆଇର ରିପୋର୍ଟ ଅନୁସାରେ ଚେନାବ ନଦୀରେ ଥିବା ବଗଲିହାର ଡ୍ୟାମରେ ଚେନାବ ନଦୀର ପାଣି ବନ୍ଦ କରାଯାଇଛି। ଆହୁରି ମଧ୍ୟ ଝେଲମ ନଦୀ ଉପରେ କିଶନ ଗଙ୍ଗା ଡ୍ୟାମ ମାଧ୍ୟମରେ ପାଣି ଅଟକାଇବାକୁ ଯୋଜନା କରାଯାଉଛି।
ସୂଚନାଥାଉକି, ଜମ୍ମୁ ରାମବନରେ ଥିବା ବଗଲିହାର ଡ୍ୟାମ ଏବଂ ଉତ୍ତର କାଶ୍ମୀରରେ ଥିବା କିଶନ ଗଙ୍ଗା ଡ୍ୟାମ ମାଧ୍ୟମରେ ଭାରତ ସରକାର ବିଦ୍ୟୁତ ଉତ୍ପାଦନ କରିଥାନ୍ତି। ଏହି ଡ୍ୟାମର ପାଣିକୁ ରୋକିବା ତଥା ଛାଡ଼ିବା କ୍ଷମତା ଭାରତ ପାଖରେ ରହିଛି।
ଉଲ୍ଲେଖଯୋଗ୍ୟ, ବଗଲିହାର ଡ୍ୟାମ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟରୁ ବିବାଦର କାରଣ ରହିଆସିଛି। ପାକିସ୍ତାନ ଏହି ଡ୍ୟାମର ନିର୍ମାଣ ସମୟରେ ବିଶ୍ବ ବ୍ୟାଙ୍କ୍ର ମଧ୍ୟସ୍ଥତା ଲୋଡ଼ିଥିଲା। ଏହା ବାଦ ପାକିସ୍ତାନ କିଶନଗଙ୍ଗା ଡ୍ୟାମକୁ ନେଇ ଆପତ୍ତି କରିଆସିଛି। ଏହି ଦୁଇ ନଦୀ ଉଭୟ ଦେଶ ପାଇଁ ଜୀବନ ରେଖା ବୋଲି ଧରାଯାଏ।ଦୁଇ ନଦୀ କୂଳରେ ରହୁଥିବା ଲୋକେ ଚାଷ ପାଇଁ ସଂପୂର୍ଣ୍ଣ ଭାବରେ ଏହା ଉପରେ ନିର୍ଭର କରନ୍ତି। ଭାରତ ମଧ୍ୟ ଆରମ୍ଭରୁ ଏହି କଥାକୁ ବୁଝି ପାକିସ୍ତାନକୁ ଅଧିକ ମାତ୍ରାରେ ପାଣି ଉପଲବ୍ଧ କରୁଛି।
ହେଲେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ସିନ୍ଧୁ ଜଳ ସନ୍ଧିକୁ ନିରସ୍ତ୍ର କରିଦେଇଛନ୍ତି। ଏହା ପରେ ପାକିସ୍ତାନର ଅନେକ ନେତା ଅବାନ୍ତର ବୟାନବାଜି କରିବା ଆରମ୍ଭ କରିଦେଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ ପକ୍ଷରୁ ତୀବ୍ର କୂଟନୈତିକ ଷ୍ଟ୍ରାଇକ୍ ପାକିସ୍ତାନକୁ ଚିନ୍ତିତ କରିଛି। ପୂରା ପାକିସ୍ତାନ ଏହି ଭୟରେ ରହିଛି ଯେ, କେବେବି ଆକ୍ରମଣ ହୋଇପାରେ। ପିଏମ ମୋଦୀ ଗତ ମାସରେ ହିଁ ଘୋଷଣା କରିଥିଲେ ଯେ, ପହଲଗାମରେ ନିର୍ଦ୍ଦୋଷ ଲୋକଙ୍କ ନରସଂହାର କରିଥିବା ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ।