ନୂଆଦିଲ୍ଲୀ: ପହଲଗାମରେ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ବାୟୁସେନା ମୁଖ୍ୟ ଏୟାର ବିଫ ମାର୍ଶାଲ ଅମର ପ୍ରୀତ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ ନୌସେନା ପ୍ରମୁଖ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ନେଭି ଚିଫ୍ ଆଡମିରାଲ ଦିନେଶ ତ୍ରିପାଠୀ ଶନିବାର ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀ ବାସଭବନରେ ପିଏମ ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ତିନି ସେନାର ମୁଖ୍ୟଙ୍କ ସହ ବୈଠକ କରିଥିଲେ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ଆଜି ପ୍ରଧାନମନ୍ତ୍ରୀ ଓ ବାୟୁସେନା ପ୍ରମୁଖଙ୍କ ମଧ୍ୟରେ ହୋଇଥିବା ବୈଠକରେ କେଉଁ ରଣନୀତି ଉପରେ ଆଲୋଚନା ହୋଇଛି ତାର ସୂଚନା ମିଳିନାହିଁ । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲା ପରେ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି(ସିସିଏସ)ର ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହା ପରେ ସରକାର ତିନି ସେନାଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂରା ସ୍ୱାଧୀନତା ଦେଇଛନ୍ତି । କେଉଁ ସମୟରେ, କେବେ ଏବଂ କେଉଁଠି ପାକିସ୍ତାନରକୁ ଜବାବ ଦିଆଯିବ ତାର ନିଷ୍ପତ୍ତି ସେନା ଉପରେ ଛାଡିଛନ୍ତି ମୋଦୀ ସରକାର ।
ସୂଚନାଯୋଗ୍ୟ, କାଶ୍ମୀର ଉପତ୍ୟକାରେ ଆତଙ୍କୀ ହମଲା ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏପ୍ରିଲ ୧୯ ତାରିଖ ପାଖାପାଖି ହମଲା କରିବାକୁ ଆତଙ୍କୀ ଯୋଜନା କରିଥିବା ଏଥିରେ କୁହାଯାଇଥିଲା । ରିପୋର୍ଟରେ ହମଲାର ସ୍ଥଳ ଶ୍ରୀନଗର ଉଲ୍ଲେଖ ରହିଥିଲା । ତେଣୁ ଶ୍ରୀନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କିନ୍ତୁ ଆତଙ୍କବାଦୀ ଯୋଜନା ବଦଳାଇ ପହଲଗାମର ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ୨୬ ଜଣଙ୍କ ହତ୍ୟା କରିଥିଲେ । ଏହା ପରେ ଭାରତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସିନ୍ଦୁ ଜଳ ଚୁକ୍ତି ରଦ୍ଦ ଘୋଷଣା କରିଥିଲେ । ଭାରତର ଏହି ଆଭିମୁଖ୍ୟରେ ଚିହିଁକି ଉଠିଛି ପାକିସ୍ତାନ ।