ଜାମ୍ମୁ କାଶ୍ମୀର ରାମବନ ଜିଲ୍ଲାର ବ୍ୟାଟେରି ଚଷ୍ମା ନିକଟରେ ସେନାଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟିଠୁ ପ୍ରାୟ ୩ ଶହ ଫୁଟ ତଳକୁ ସେନାଗାଡ଼ି ଖସିପଡ଼ିବାରୁ ଘଟଣାସ୍ଥଳରେ ୩ ଜଣ ଯବାନ ସହୀଦ ହୋଇଛନ୍ତି। ଶ୍ରୀନଗରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲିସ, ଏସଡିଆରଏଫ ଏବଂ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ରାମବନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଖୋଜାଚାଲିଛି।
ଅଧିକାରୀଙ୍କ କହିବା ମୁତାବିକ, ଦୁର୍ଘଟଣାଟି ଆଜି (ରବିବାର) ସକାଳ ୧୧.୩୦ରେ ଜାତୀୟ ରାଜପଥ ୪୪ର ବ୍ୟାଟେରି ଚଷ୍ମା ନିକଟରେ ଘଟିଥିଲା। ସେନାଗାଡ଼ିଟି ଶ୍ରୀନଗର ଯାଉଥିବା ବେଳେ ଦୁର୍ଘଟଣଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ଆଖି ପିଛୁଳାକେ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ୩ ଯବାନ ସହୀଦ ହୋଇଯାଇଥିଲେ। ବର୍ତ୍ତମାନ ସହୀଦ ଯବାନଙ୍କ ମୃତଦେହ ବାହାର କରିବା ପାଇଁ ଉଦ୍ଧାର ଚାଲିଛି। ଏହି ୩ ସହୀଦ ଯବାନ ଅମିତ କୁମାର, ସୁଜିତ କୁମାର ଏବଂ ମାନ ବାହାଦୁର ବୋଲି ଜଣାପଡ଼ିଛନ୍ତି।
ପ୍ରତି କୋଣରେ ସେନା ମୁତୟନ:
ପହଲଗାମ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ପ୍ରବଳ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହା ସହିତ, ପୂର୍ବ ଅପେକ୍ଷା ଏହି ସମୟରେ ଅଧିକ ପାଟ୍ରୋଲିଂ କରାଯାଉଛି। ଏହି ପାଟ୍ରୋଲିଂ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୩ ଜଣ ସୈନିକ ସହିଦ ହୋଇଥିଲେ। ୩ ସହିଦଙ୍କ ବଳିଦାନକୁ ସମ୍ମାନ ଜଣାଇ ସେନା ଏକ ଶୋକ ସଭାର ଆୟୋଜନ କରିଥିଲା। ବରିଷ୍ଠ ସେନା ଅଧିକାରୀମାନେ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।