ପୁରୀ : ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଆରମ୍ଭ ହୋଇଛି । ସିଂହଦ୍ୱାର ଥାନାରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ନାଁ ରେ ଏତଲା ହୋଇଛି । ଜଗନ୍ନାଥଙ୍କ ବଳକା ଦାରୁକୁ ନେଇ ସେ କିପରି ପଶ୍ଚିମବଙ୍ଗରେ ଦେଲେ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି ହୋଇଛି । ଅନଲାଇନରେ ଏତଲା ଦେଇଛନ୍ତି ଆର୍ଟିଆଇ କର୍ମୀ ଜୟନ୍ତ ଦାସ। ଶ୍ରୀମନ୍ଦିର ଦାରୁ ଗୃହରୁ ଦାରୁ ଚୋରି ଅଭିଯୋଗ ନେଇ ଥାନାରେ ଏତଲା ହୋଇଛି । ନବକଳେବର ପରଠୁ ରଖାଯାଇଥିବା ନିମକାଠ ସ୍ମଗଲିଂ ନେଇ ଏହି ଏତଲାରେ ଉଲ୍ଲେଖ ରହିଛି । ତେବେ ଏତଲା ସମ୍ପର୍କରେ ସିଂହଦ୍ୱାର ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ ।
ଅନ୍ୟପଟେ ଦାରୁ କାଠରେ ଦୀଘାରେ ମୂର୍ତ୍ତି ନିର୍ମାଣ ଓ ଦୀଘାକୁ ଜଗନ୍ନାଥ ଧାମ ଭାବେ ନାମକରଣ ବିବାଦ ପ୍ରସଙ୍ଗରେ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ତତ୍ୱାବଧାନରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ପଚରାଉଚୁରା ଚାଲିଛି । ଗତକାଲି ନୋଟିସ୍ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ଏହି ଅବସରରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସମ୍ପାଦକଙ୍କ ସହିତ ନିଯୋଗ ସଭାପତି ମଧ୍ୟ ଉପସ୍ଥିତ ଅଛନ୍ତି ।
ସୂଚନା ଥାଉକି ନବକଳେବର ସମୟରେ ଥିବା ବଳକା ଦାରୁରେ ବିଗ୍ରହ ନିର୍ମାଣ କରିଥିବା ନେଇ ରାମକୃଷ୍ଣ ଦାସମହାପାତ୍ର ପ୍ରତିକ୍ରିୟା ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । ନବକଳେବର ସମୟରେ ଥିବା ବଳକା ଦାରୁରେ ବିଗ୍ରହ ନିର୍ମାଣ କରିଥିବା ନେଇ ରାମକୃଷ୍ଣ ଦାସମହାପାତ୍ର ପ୍ରତିକ୍ରିୟା ଦେବା ପରେ ବିଭିନ୍ନ ମହଲରୁ ଘଟଣାକୁ କଡା ନିନ୍ଦା କରିବା ସହ ବିବାଦ ଆରମ୍ଭ ହୋଇଛି ।