କଟକ: କାଠଯୋଡ଼ିରେ ବ୍ରିଜ୍ ନିର୍ମାଣ ବେଳେ ଦୁଇ ଜଣ ଇଂଜିନିୟର ଓ ଜଣେ ସୁପରଭାଇଜର୍ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ କାହାର ଭୁଲ ରହିଛି ସେନେଇ ଟିମ୍ ରିପୋର୍ଟ ଦେବ ବୋଲି ମନ୍ତ୍ରୀ କହିଛନ୍ତି । ଅଘଟଣକୁ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏତେ ବଡ଼ ଅଘଟଣ କାହାର ଭୁଲ ଅଛି, ତଦନ୍ତ ହେବ । ତ୍ରୁଟି ନ ଥିଲେ ଏତେ ବଡ଼ ଦୁର୍ଘଟଣା ଘଟି ନଥାନ୍ତା । ୩ ଜଣିଆ ଟିମ୍ ଗଠନ ହୋଇଛି, ୧୫ ଦିନରେ ଘଟଣା ବାବଦରେ ରିପୋର୍ଟ ଦେବ ଟିମ୍ । ଆଇନମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନେତୃତ୍ବରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ମୁଖ୍ୟଯନ୍ତ୍ରୀ ଓ ଏଡିଏମ୍ ସଦସ୍ୟ ରହିବେ । ତେବେ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଶନିବାର କାଠଯୋଡ଼ିରେ ନିର୍ମାଣଧୀନ ବ୍ରିଜ୍ ରେ ସ୍ଲାବ ଖସିବା ଫଳରେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଇଂଜିନିୟର ସୌମ୍ୟରଞ୍ଜନ ମଲ୍ଲିକ, ଇଂଜିନିୟର ଶିବଶଙ୍କର ପଟ୍ଟନାୟକ ଓ ସୁପରଭାଇଜର ସୁବାସ ଚନ୍ଦ୍ର ଭକ୍ତଙ୍କର ମୃତ୍ୟୁ ଘଟିଥିଲା । ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ୱର ହୋଇଥିବା ବେଳେ ସୁବାସଙ୍କ ଘର ପଶ୍ଚିମବଙ୍ଗ ଓ ଶିବଶଙ୍କର କଟକର ବାସିନ୍ଦା । ସମସ୍ତ ମୃତକଙ୍କ ବୟସ ୩୦ ପାଖାପାଖି ହେବ ବୋଲି କୁହାଯାଉଛି। ଏହି ଘଟଣାରେ ଆହତ ଅରୁଣ ବାରିକ ଓ ବିକଳ ଜେନାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅରୁଣଙ୍କ ଘର ପୁରୀ ଓ ବିକଳ ଜେନାଙ୍କର ଘର ଆଠଗଡ଼ରେ ବୋଲି ଜଣାପଡିଛି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।