କେନ୍ଦୁଝର : ଆସନ୍ତାକାଲି ସୋମବାର ଅର୍ଥାତ ୫ ତାରିଖ ଦିନ କୁସୁମିତା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନ ବିପ୍ଳବୀ ବୀର ଧରଣୀଧରଙ୍କ ୧୬୧ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ, କୁସୁମିତା ଗାଁର ସାମଗ୍ରିକ ବିକାଶ ଓ ଏହାକୁ ଏକ ଐତିହ୍ୟ ଗ୍ରାମ ରୂପେ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦୁଝରର ମହାନ ବିପ୍ଳବୀ ବୀର ଧରଣୀଧର ନାଏକଙ୍କ ଜନ୍ମମାଟି କୁସୁମିତା ଗାଁରେ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଧରଣୀଧର ଜୟନ୍ତୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଚାଲିଛି ବିରାଟ ଆୟୋଜନ । କୁସୁମିତା ଗାଁକୁ ଯିବା ରାସ୍ତାରେ ଏକ ସଭାସ୍ଥଳ ତିଆରି ହେଉଛି । ସେଠାରେ ହେଲିକ୍ୟାପ୍ଟର୍ ଯୋଗେ ଓହ୍ଲାଇ କୁସୁମିତା ଗାଁରେ ଥିବା ଧରଣୀଧରଙ୍କ ପ୍ରତିମୂର୍ତ୍ତି ସ୍ଥଳ ଓ ଧରଣୀଧରଙ୍କ ଦାୟାଦଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏଥିସହିତ, ଏକ ବିରାଟ ଜନସଭାରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଂସ୍କୃତି ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିପ୍ଳବୀଙ୍କ ଗାଁରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ । ତେବେ ବିପ୍ଳବୀଙ୍କର ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ପାଳନ ହେବାକୁ ନେଇ କୁସୁମିତା ଗ୍ରାମବାସୀ ତଥା ଧରଣୀଧରଙ୍କ ଦାୟାଦ ଖୁସିବ୍ୟକ୍ତ କରିଛନ୍ତି ।