ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଗତ ତିନିଦିନ ଧରି ଲଗାତର ଇମେଲ୍ ମାଧ୍ୟମରେ ଅଧିକାଂଶ ସ୍କୁଲକୁ ବୋମା ଧମକ ଦିଆଯାଇଛି। ଯାହା ସ୍କୁଲରେ ଭୟର ବାତାବରଣ ଖେଳାଇଦେଇଛି । ବୋମା ଧମକ ଆସିବା ପରେ ଜରୁରୀକାଳୀନ ସ୍ଥାନାନ୍ତର ଓ ବ୍ୟାପକ ସୁରକ୍ଷା ଯାଞ୍ଚ କରାଯାଇଥିଲା। ସ୍କୁଲକୁ ତନାଘନା କରି ଯାଞ୍ଚ ମଧ୍ୟ କରାଯାଇଥିଲା । ଦିଲ୍ଲୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ, କୁକୁର ଦଳ ଏବଂ ସାଇବର ବିଶେଷଜ୍ଞଙ୍କୁ ସବିଶେଷ ସନ୍ଧାନ ପାଇଁ ପଠାଯାଇଥିଲା । ରାତିସାରା ସ୍କୁଲରେ ରହିଥିବା କର୍ମଚାରୀମାନଙ୍କୁ ସୁରକ୍ଷା ପାଇଁ ପରିସରରୁ ବାହାରକୁ ଆଣିବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ କୌଣସି ସତ୍ୟତା ମିଳିନଥିଲା । ଯଦିଓ ସମସ୍ତ ଧମକ ମିଥ୍ୟା ବୋଲି ଜଣାପଡ଼ିଥିଲା, କିନ୍ତୁ ବାରମ୍ବାର ଧମକ ମିଳିବା ପରେ ଅଭିଭାବକ, ଶିକ୍ଷକ ଓ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି ।
ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିବା ସ୍କୁଲଗୁଡିକ ମଧ୍ୟରେ :-
- CRPF ପବ୍ଲିକ୍ ସ୍କୁଲ, ଦ୍ୱାରକା ସେକ୍ଟର 16
- ନ୍ୟାଭି ଚିଲ୍ଡ୍ରେନ୍ ସ୍କୁଲ, ଚାଣକ୍ୟପୁରୀ
- CRPF ସ୍କୁଲ, ରୋହିଣୀ
- ସେଣ୍ଟ ଥମାସ ସ୍କୁଲ, ଦ୍ୱାରକା
- ବସନ୍ତ ଭ୍ୟାଲି ସ୍କୁଲ, ବସନ୍ତ କୁଞ୍ଜ
- ମଦର୍ସ ଇଣ୍ଟରନ୍ୟାସନାଲ୍ ସ୍କୁଲ, ହୌଜ ଖାସ୍
- ରିଚମଣ୍ଡ ଗ୍ଲୋବାଲ୍ ସ୍କୁଲ, ପଶ୍ଚିମ ବିହାର
- ସର୍ଦ୍ଦାର ପଟେଲ ବିଦ୍ୟାଳୟ, ଲୋଡି ଇଷ୍ଟେଟ୍
- ଦ୍ୱାରକାର ସେଣ୍ଟ ଥମାସ ସ୍କୁଲକୁ ଦୁଇ ଦିନ ମଧ୍ୟରେ ଦୁଇଥର ବୋମା ଧମକ ଦିଆଯାଇଥିଲା।
ଦିଲ୍ଲୀର ସ୍କୁଲଗୁଡ଼ିକୁ ବୋମା ଧମକ ବୁଧବାର ତୃତୀୟ ଦିନ ଥିଲା। ଗତ ଦୁଇ ଦିନ ମଧ୍ୟରେ, ଏହି ଧମକଗୁଡ଼ିକ ମିଥ୍ୟା ବୋଲି ଜଣାପଡ଼ିଥିଲା । ସ୍କୁଲଗୁଡ଼ିକ ବ୍ୟତୀତ ମଙ୍ଗଳବାର ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜକୁ ମଧ୍ୟ ବୋମା ଧମକ ମିଳିଥିଲା । କଲେଜ କ୍ୟାମ୍ପସରେ ଚାରୋଟି ଆଇଇଡି ଏବଂ ଦୁଇଟି ପ୍ୟାକେଟ ଆରଡିଏକ୍ସ ରଖାଯାଇଛି ବୋଲି ଇ-ମେଲରେ ପଠାଯାଇଥିଲା । ଏହି ଘଟଣାର ଯାଞ୍ଚ କରାଗଲା । କିନ୍ତୁ କୌଣସି ତଥ୍ୟ ମିଳିନଥିଲା ।