ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧ ମାମଲା ପ୍ରତିଦିନ ବଢ଼ିଚାଲିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି । ତଥାପି ଲୋକମାନେ ବୁଝି ପାରୁ ନାହାଁନ୍ତି । ଜଣେ ବ୍ୟକ୍ତି ସାଇବର ଠକାମୀର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ନିଜ ଜୀବନ ମଧ୍ୟ ହରାଇଛନ୍ତି । ମୃତକ ଜଣକ ହେଲେ ବେଙ୍ଗାଲୁରୁ ବିଦ୍ୟୁତ ବିଭାଗର କିରାଣୀ କୁମାର ।
କୁମାରଙ୍କ ଚିଠିରୁ ଜଣାପଡ଼ିଛି ଯେ କୁମାର ବାଙ୍ଗାଲୋର ବିଦ୍ୟୁତ୍ ଯୋଗାଣ କମ୍ପାନୀ ଲିମିଟେଡ୍ (BESCOM)ରେ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ବିକ୍ରମ ଗୋସ୍ୱାମୀ ନାମକ ଜଣେ ବ୍ୟକ୍ତି ନିଜକୁ ଜଣେ ସିବିଆଇ ଅଧିକାରୀ ବୋଲି କହି କୁମାରଙ୍କୁ ଫୋନ୍ କରି ଧମକ ଦେଇଥିଲେ । ତାଙ୍କୁ ଗିରଫ କରିବାକୁ ଧମକ ଦେଇ ବ୍ଲାକମେଲ୍ କରିଥିଲେ । କିନ୍ତୁ କୁମାର ସାଇବର ଫ୍ରଡର ଚକ୍ରାନ୍ତକୁ ବୁଝି ପାରିନଥିଲେ । ଗିରଫର ଧମକ ଦେଇ ପ୍ରଥମେ ତାଙ୍କଠାରୁ ୧ ଲକ୍ଷ ୯୫ ହଜାର ଟଙ୍କା ଦାବି କରିଥିଲେ । କୁମାର ଟଙ୍କା ପଠାଇବା ପରେ ପୁଣି ଟଙ୍କା ଦାବି କରିଥିଲେ । ଧୀରେ ଧୀରେ ସେ ୧୧ ଲକ୍ଷ ଟଙ୍କା ପଠାଇଥିଲେ । ଏହା ପରେ ଟଙ୍କା ଦେବାକୁ ଚାପ ପ୍ରୟୋଗ କରାଯାଇଥିଲା । ଶେଷରେ ସେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।
କୁମାର ଚିଠିରେ ଉକ୍ତ ବ୍ୟକ୍ତିଙ୍କ ନାମ ଏବଂ ମୋବାଇଲ୍ ନମ୍ବର ମଧ୍ୟ ଉଲ୍ଲେଖ କରିଛନ୍ତି । ପୋଲିସ ଏବେ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ଏହା ବ୍ୟତୀତ ଆର୍ଥିକ କାରବାର ଏବଂ ସୁଇସାଇଡ ନୋଟର ଯାଞ୍ଚ ମଧ୍ୟ କରାଯାଉଛି । କୁମାରଙ୍କ ଫୋନ୍ ମଧ୍ୟ ଲକ୍ ଥିଲା, ଯାହା ଫଳରେ ପୋଲିସ ପାଇଁ ଚ୍ୟାଲେଞ୍ଜ ବଢ଼ିଯାଇଛି ।
ପାଠକଙ୍କ ଅବଗତି ନିମନ୍ତେ ଏଠାରେ ଉଲ୍ଲେଖ ଯୋଗ୍ୟ, ସରକାର ଲୋକମାନଙ୍କୁ ସଚେତନ କରିବା ପାଇଁ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । କୌଣସି ନକଲି ତଦନ୍ତ ଅଧିକାରୀ, ପୋଲିସ ଏବଂ ବିଚାରପତିଙ୍କ ନାଁରେ ଫୋନ କଲ୍ ଆସିଲେ ଭୟଭୀତ ନ ହୁଅନ୍ତୁ । ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ । ଯଦି ଏପରି କିଛି କଲ୍ ପାଉଛନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ ମଧ୍ୟ କରାଯାଉଛି।