ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ପରେ ଏବେ ବିଭିନ୍ନ ଦଳ ରାଜନୈତିକ ରୁଟି ସେକିବା ଆରମ୍ଭ କରିଦେଇଛନ୍ତି । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେଡ଼ି ପୃଥକ ପୃଥକଭାବେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ମଧ୍ୟ ବିଜେଡ଼ି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ଘେରାଉ ଡାକରା ଦେଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରରେ ହେବାକୁ ଥିବା ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ଶାରୀରିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି । ଜୁଲାଇ ୧୬, ଅର୍ଥାତ ଆଜି ହେବାକୁ ଥିବା ପରୀକ୍ଷା ଜୁଲାଇ ୧୮, ଶନିବାର ଦିନ ଭୁବନେଶ୍ୱରର ସମାନ ସମୟରେ ଏବଂ ସମାନ ସ୍ଥାନରେ ଅନୁଷ୍ଠିତ ହେବ । ଭୁବନେଶ୍ୱର ୭ମ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀଠାରେ ହିଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନକାରୀଙ୍କ ଯାତାୟାତ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ଭୁବନେଶ୍ୱର ଜିଲ୍ଲା ପୋଲିସର ହୋମଗାର୍ଡ କାର୍ଯ୍ୟାଳୟ ସୂଚନା ଦେଇଛି ।