ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇଯାଇଛି । ଯେତେବେଳେ ଝିଅଟି ନ୍ୟାୟ ମାଗୁଥିଲା ସେତେବେଳେ କେହି ତା ସହ ଛିଡ଼ା ହୋଇନଥିବାବେଳେ ଏବେ ବିରୋଧ ପ୍ରଦର୍ଶନ କରି ରାଜନୈତିକ ବାଃ ବାଃ ନେବାକୁ ଚାଲିଛି ହୀନ ପ୍ରୟାସ । ବାଲେଶ୍ୱରରୁ ଭୁବନେଶ୍ୱର ଚାଲିଛି ଆନ୍ଦୋଳନ । ଆଜି ବିଜୁ ଜନତା ଦଳ ଆଠ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଥିବାବେଳେ ଲୋକସେବା ଭବନ ଘେରାଉ କରିବାକୁ ଚେତାବନୀ ଦେଇଛି । ସେଥିପାଇଁ ଲୋକସେବା ଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯେଉଁ ଆନ୍ଦୋଳନକାରୀ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ ।
ବିଜେଡ଼ି ନେତାମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଶୋଭାଯାତ୍ରା ଆରମ୍ଭ କରିବେ । ଗାନ୍ଧୀ ମାର୍ଗ ଦେଇ ପିଏମଜି ଛକ ଦେଇ ଲୋକସେବା ଭବନ ଘେରାଉ କରିବାକୁ ପ୍ରୟାସ କରିବେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଲୋକସେବା ଭବନକୁ ସୁରକ୍ଷା ବଳୟରେ ରଖାଯାଇଛି । ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ଆଜି ସକାଳ ୯ଟା ବେଳକୁ ସମସ୍ତ ଅଧିକାର ଏବଂ ମନ୍ତ୍ରୀମାନେ ଲୋକସେବା ଭବନକୁ ପ୍ରବେଶ କରିଛନ୍ତି । ସମସ୍ତ ଗେଟ୍ ବନ୍ଦ ରହିଥିବାବେଳେ କେବଳ ଏକ ନଂ ଗେଟ୍ ଦେଇ ସମସ୍ତ ଭିତରକୁ ଯାଇଛନ୍ତି । ସୁରକ୍ଷାକର୍ମୀ ସମସ୍ତଙ୍କ ପରିଚୟ ପତ୍ର ଦେଖି ଭିତରକୁ ଯିବାକୁ ଅନୁମତି ଦେଉଛନ୍ତି ।
ଅନ୍ୟପକ୍ଷରେ କମିଶନରେଟ୍ ପୋଲିସ ଆନ୍ଦୋଳନକାରୀକୁ ଅଟକାଇବାକୁ ସମସ୍ତ ପ୍ରକାର ପନ୍ଥା ଆପଣାଇଛି । ଡ୍ରୋନ୍ ସାହାଯ୍ୟରେ ସମସ୍ତଙ୍କ ଉପରେ ନଜର ରଖାଯିବ । ଯେଉଁମାନେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନ୍ଦୋଳନକାରୀଭଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛି । ଆନ୍ଦୋଳନକାରୀମାନଙ୍କୁ ଡ୍ରୋନ୍ ସାହାଯ୍ୟ ଚିହ୍ନଟ କରାଯିବ ।
ସେପଟେ ବାଲେଶ୍ୱରରେ ମଧ୍ୟ ବିଜେଡ଼ିର ଆନ୍ଦୋଳନ ଆରମ୍ଭ ହୋଇଯାଇଛି । କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ଦୋକାନ, ବଜାର, ଗାଡ଼ି ଚଳାଚଳ ସବୁକିଛି ବନ୍ଦ ରହିଛି । କେବଳ ଜରୁରୀକାଳୀନ ସେବା ଜାରି ରହିଛି ।