କଟକ: ଚର୍ଚ୍ଚାରେ ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ । ଗଛ ଲଗାଇବେ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଫେଇ କରିବେ। ଆଦେଶ ନ ମାନିଲେ ହେବ ଜାମିନ ରଦ୍ଦ । ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କ ଜାମିନ ମାମଲାର ଶୁଣାଣି କରି ଏପରି ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ।
ସୂଚନା ମୁତାବିକ ଜାନୁଆରୀ ୨୩ରେ ଅଭିଯୋଗକାରୀ ଭୁବନେଶ୍ୱରର ପିତାପଲିରୁ ପାତ୍ରପଡ଼ା ଅଭିମୁଖେ ଯାଉଥିଲେ। ସେତିକିବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଲିଫ୍ଟ ମାଗିଥିଲେ। ସେ ଗାଡି ଅଟକାଇବା ପରେ ଅନ୍ୟ ୨ଜଣ ସାଙ୍ଗଙ୍କୁ ଗାଡିରେ ନେବା ପାଇଁ କହିଥିଲେ ଅଜଣା ବ୍ୟକ୍ତି ଜଣକ। ତେବେ ଦୁଇ ସାଙ୍ଗ ଆସିବା ପରେ ଅଭିଯୋଗକାରୀଙ୍କୁ ହତ୍ୟା ଧମକ ଦେଇ କାରକୁ ଖୋର୍ଦ୍ଧା ନେଇ ଫେରାର ହୋଇଯାଇଥିଲେ । ଏନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲା। ଏତଲା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ। ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ଆବଦେନକାରୀଙ୍କୁ ସର୍ତ୍ତମୂଳକ ଜାମିନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜାମିନରେ ଛାଡ଼ ପାଇବା ପରେ ଏକ ମାସ କ୍ୟାପିଟାଲ ହସ୍ପିଟାଲରେ ରୁମ ଓ ୱାର୍ଡ଼ ସଫେଇ କାର୍ଯ୍ୟ ଏବଂ ମୌସୁମୀ ସମୟରେ ଡୁମଡୁମା ଅଞ୍ଚଳରେ ଥିବା ସରକାରୀ ଜମି, କିମ୍ବା ଘରୋଇ ଜମିରେ ୧୦୦ ଆମ୍ବ, ନିମ୍ବ, ତେନ୍ତୁଳି ଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଚାରା ଲଗାଇବା ଦିଗରେ ଡିଏଫଓ ଏବଂ ରାଜସ୍ବ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡି ପାରିବେ ଆବେଦନକାରୀ। ଏହାସହ ଚାରା ଲଗାଗଲା କି ନାହିଁ ତାହାକୁ ନିରୀକ୍ଷଣ କରିବେ ସ୍ଥାନୀୟ ଥାନା ଅଧିକାରୀ । ଯଦି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ଜାମିନ ବାତିଲ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦିଆଯାଇ କୋର୍ଟ ଏହି ଜାମିନ୍ ସର୍ତ୍ତ ରଖିଛନ୍ତି ।
କୋର୍ଟଙ୍କ ସର୍ତ୍ତ ମୁତାବିକ, ଜିଲ୍ଲା ନର୍ସରି/ଡିଏଫଓ ଚାରା ଯୋଗାଇବା ପ୍ରସଙ୍ଗରେ ସହଯୋଗ କରିବେ। ଆବେଦନକାରୀ ଚାରା ରୋପଣ କରିଲେ କି ନାହିଁ ତାହା ସଂପୃକ୍ତ ଥାନା ଆଇଆଇସି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସହିତ ସମନ୍ବୟ ରଖି ତଦାରଖ କରିବେ ବୋଲି ହାଇକୋର୍ଟ କହିଛନ୍ତି। ସେହିପରି ଆବେଦନକାରୀ ମାମଲାର ପ୍ରତି ତାରିଖରେ ନିମ୍ନ ଅଦାଲତରେ ହାଜର ହେବେ। ଜାମିନରେ ଥିବା ବେଳେ କୌଣସି ଅପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ଆର. ଦାସଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।