ଭୁବନେଶ୍ୱର:ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀ ରାସ୍ତା। ପାଖାପାଖି ଘଣ୍ଟାଏ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି। ବୁଧବାର ମଧ୍ୟାହ୍ନରେ ଭୁବନେଶର ଆକାଶରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହା ପରେ ଆରମ୍ଭ ହୋଇଛି ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା। ବର୍ଷା ସହ ପବନ ମଧ୍ୟ ହେଉଛି। ବର୍ଷା ପରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଆଜି ସକାଳେ ଖରା ପାଗ ହୋଇଥିଲା। କିନ୍ତୁ ଦିନ ପ୍ରାୟ ସାଢେ ୧୨ ଟା ପରେ ହଠାତ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଘଣ୍ଟାଏ ବର୍ଷାରେ ରାଜଧାନୀର ମୁଖ୍ୟ ଜଳାର୍ଣ୍ଣବ ହୋଇଯାଇଥିଲା। ପାଣି ଜମିରହିଥିବାରୁ ରାସ୍ତାରୁ ଇଞ୍ଚେ ଆଗକୁ ବଢ଼ିପାରିଲାନି ଗାଡ଼ି। ଘଣ୍ଟାଏ ଧରି ଘଡ଼ଘଡ଼ି ବର୍ଷାରେ ହନ୍ତସନ୍ତ ହୋଇଛନ୍ତି ରାଜଧାନୀବାସୀ।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ପାଣି ଜମି ରହିଥିବା ରାସ୍ତାଗୁଡ଼ିକରେ ଯାତାୟାତ ଅଧିକ କଷ୍ଟକର ହୋଇପଡ଼ିଥିଲା। ଜୟଦେବ ବିହାର ଏବଂ ସିଆରପିଏଫ୍ ସ୍କୋୟାର ମଧ୍ୟରେ ଜାତୀୟ ରାଜପଥ-୧୬ ଓ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ସ୍କୋୟାର ଏବଂ ୟୁନିଟ୍-୧ ମାର୍କେଟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ସୃଷ୍ଟି ହୋଇଥିଲା। ଆବାସିକ ଅଞ୍ଚଳ ଏବଂ ମାର୍କେଟ ଗୁଡିକ ମଧ୍ୟ ଆଂଶିକ ଭାବରେ ଜଳମଗ୍ନ ହୋଇପଡ଼ିଥିଲା।
ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧୦ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ରାଜ୍ୟରେ ବର୍ଷା ଲାଗିରହିବ। ବିଶେଷକରି ଉପକୂଳ ଓ ଉତ୍ତର-ଅଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହିପରି ପ୍ରଭାବ। ୧୦ ଅକ୍ଟୋବର ବେଳକୁ ବଙ୍ଗୋପସାଗରରେ ପୁଣି ଘୁର୍ଣ୍ଣିବଳୟ। ତେବେ ଏହା ବିଶେଷ ଘନୀଭୂତ ହେବ ନାହିଁ। ସେପଟେ ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ , କଟକ , କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।