ଭଦ୍ରକ: ଜେଜେମାଆର ଅନ୍ତ୍ୟେଷ୍ଟିରେ ନାତି ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତେସିଙ୍ଗା ପଞ୍ଚାୟତ କୁଶଗଡିଆ ଗାଁରେ। ଜେଜେମା ଶବ ସତ୍କାର ସାରି ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ନାତିର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ୨୭ ବର୍ଷିୟ ବିକାଶ କୁମାର ମଲ୍ଲିକ।
ସୂଚନା ମୁତାବିକ, ମଙ୍ଗଳବାର ରାତିରେ ଗାଁର ପ୍ରେମଲତା ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। ଆଜି ପ୍ରେମଲତାଙ୍କ ଶବ ସତ୍କାର କରି ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ ପରିବାର। ତେବେ ଗାଧୋଉଥିବା ଗୋଡ଼ ଖସିଯିବାରୁ ୨୭ ବର୍ଷିୟ ନାତି ବିକାଶ କୁମାର ମଲ୍ଲିକ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲା। ବହୁ ଖୋଜା ଖୋଜି ପରେ ବିକାଶଙ୍କୁ ଉଦ୍ଧାର କରି ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜେଜେମା' ପରେ ନାତିର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପରିବାର।