ପୁରୀ : ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ । ଏହି ଉପଲକ୍ଷେ ପୁରୀ ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସଠାରେ ଓଡ଼ିଶା ସରକାରଙ୍କ ତରଫରୁ ହବିଷ୍ୟାଳି କାର୍ତ୍ତିକ ବ୍ରତ-୨୦୨୫ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଏହି ଅବସରରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରି ନିଜ ପରିବାରର ମଙ୍ଗଳ କାମନା କରିବେ ସତ, କିନ୍ତୁ ଏହି ପୁଣ୍ୟର ଫଳ ଓଡ଼ିଆ ଜାତି ଭୋଗ କରିବ । ଏହି ପର୍ବ ଓଡ଼ିଶାର ଧର୍ମୀୟ ଭାବନା ସହ ଜଡ଼ିତ । ପ୍ରତ୍ୟେକ ହବିଷ୍ୟାଳି ମାଆ ଯେପରି ଭଲ ଅନୁଭବ ନେଇ ଫେରିବେ ସେନେଇ ସମସ୍ତେ ସଜାଗ ରହିଛନ୍ତି ବୋଲି ସେ କହିଥିଲେ ।
ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ହବିଷ୍ୟାଳି ଶିବିରର ଏହି ଅବସରରେ ରହିବା ପରେ ମା’ମାନଙ୍କ ଅନ୍ତର ଆହୁରି ବିଶାଳ ହେବ ବୋଲି ସେ କହିଛନ୍ତି । ମା’ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ହବିଷ୍ୟାଳି କାର୍ତ୍ତିକ ବ୍ରତ ପାଳନ ପାଇଁ ବଜେଟରେ ବୃଦ୍ଧି ହୋଇଛି । ଗତବର୍ଷ ଏଥିପାଇଁ ୨କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥର ବଜେଟ ୩କୋଟି ୩୦ ଲକ୍ଷକୁ ବୃଦ୍ଧି ପାଇଛି । ସୁରକ୍ଷିତ ଓ ବ୍ୟବସ୍ଥିତ ଭାବେ ପୁରୀରେ ହବିଷ୍ୟାଳୀ ମା' ମାନଙ୍କ ବ୍ରତ ପାଳନ ପାଇଁ ରହଣି, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ଏବଂ ଚ଼ିକିତ୍ସା ଆଦିର ସୁବନ୍ଦୋବସ୍ତ କରାଯାଇଛି ।
ସେହିପରି ଏହି ଅବସରରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ କହିଛନ୍ତି ଯେ ମା’ଟିଏ ନିଜ ପରିବାରଠୁ ମାସେ କାଳ ଦୂରେଇ ରହି ବ୍ରତ କରି କେବେ ନିଜ ପାଇଁ କିଛି ମାଗେ ନାହିଁ। ବରଂ ନିଜ ପରିବାର ବର୍ଗଙ୍କ ପାଇଁ ମଙ୍ଗଳ କାମନା କରେ। ମହିଳାମାନଙ୍କ ସମର୍ପଣ ଭାବ ସର୍ବଦା ଉଦାହରଣ ଅଟେ ।ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ,କ୍ରୀଡା ମନ୍ତ୍ରୀଙ୍କ ସମେତ ମାନ୍ୟବର ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର , ପୁରୀ ବିଧାୟକ ସୁନିଲ ମହାନ୍ତି , ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ମାନଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ବିବିଧ ସାମଗ୍ରୀ ପ୍ରଦାନ କରାଯାଇଛି ।