କଟକ: ବାଲିଯାତ୍ରା ପଡିଆ ‘ନୋ ଡ୍ରୋନ ଜୋନ’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ । ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ନୋ ଡ୍ରୋନ ଜୋନ ଘୋଷଣା କରାଯାଇଛି । ବାଲିଯାତ୍ରା ଗ୍ରାଉଣ୍ଡର ୫ କିମି ପରିଧି ପାଇଁ କଟକଣା ଜାରି କରାଯାଇଛି । ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ ଉଡାଣ ମନା କରାଯାଇଛି । ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ , ହଟ ଏୟାର ବେଲୁନ, ୟୁଏଭି , ଡ୍ରୋନ ମଧ୍ଯ ମନା ହୋଇଛି । ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା ।
ଏଥର କଟକ ବାଲିଯାତ୍ରା ନାଁ 'ଐତିହାସିକ ବାଲିଯାତ୍ରା କଟକ ହେବ ।ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତ ଥର କେବଳ ଗଡଗଡିଆ ସମ୍ମୁଖ ତଳ ପଡ଼ିଆରେ ହେବ ବାଲିଯାତ୍ରା । ତଳ ପଡ଼ିଆର ୬୦ ଏକର ଜାଗାରେ ବାଲିଯାତ୍ରା ହେବ । ଉପର ପଡ଼ିଆରେ ବାଲିଯାତ୍ରା ହେବ ନାହିଁ । ଉପର ପଡିଆରେ ଗାଡି ପାର୍କିଂ ହେବ । ଚଳିତବର୍ଷ ବାଲିଯାତ୍ରାରେ ୧୬୭୦ଟି ଷ୍ଟଲ ଆବଣ୍ଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓରମାସ ଆୟୋଜନରେ ୫୦୦ ଷ୍ଟଲ ସ୍ଥାପନ କରାଯାଇ ଜାତୀୟ ପଲ୍ଲୀଶ୍ରୀ ମେଳା କରାଯିବ ବୋଲି ସୂଚନା ରହିଛି । ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା ବେଳେ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ।
ଅନ୍ୟପଟେ ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ଏହା ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।