ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଅଭିଯାନ, ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି। ଏହା ସହ ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଲୋକସେବା ଭବନ ସ୍ଥିତ କନଭେନସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି, ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡ଼ିଶାର ଚାବିକାଠି ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ, ସମାନ ଓ ସମ୍ମାନଜନକ ପରିବେଶ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ସେ ମାତୃଭାଷାରେ ଆଧାରିତ ପ୍ରାରମ୍ଭିକ ଶିକ୍ଷା, ବାଲ୍ୟ ବିବାହ ରୋକିବା, କିଶୋରୀ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ, ସମୁଦାୟ ସଂପୃକ୍ତି ଓ ତଳସ୍ତରରେ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ଵ ଦେଇଥିଲେ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା “ଆମେ ପଢ଼ିବା ଆମ ଭାଷାରେ” ନାମକ ପାଞ୍ଚବର୍ଷୀୟ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସମନ୍ୱୟରେ ୩-୬ ବର୍ଷ ବୟସର ଶିଶୁମାନଙ୍କୁ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମୁଣ୍ଡା, କୁଇ, ସଉରା, କୁଭି, ଗୋଣ୍ଡି ଓ କୋୟା ଭାଷାରେ ଯୋଜନାଟି କାର୍ଯ୍ୟକାରୀ ହେବ।
ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଭାଷା-ନିର୍ଦ୍ଦିଷ୍ଟ ତାଲିମ, ଶିକ୍ଷା ସାମଗ୍ରୀ ଓ ଅଡିଓ- ଭିଜୁଆଲ ବିଷୟବସ୍ତୁ ପ୍ରଦାନ କରାଯିବ। “ସୁଭଦ୍ରା ଯୋଜନା” ପରି “ଆମେ ପଢିବା ଆମ ଭାଷାରେ” ଯୋଜନାକୁ ଘରେ ଘରେ ସୁପରିଚିତ କରିବାକୁ ଉଦ୍ୟମ କରିବାକୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆହ୍ଵାନ କରିଥିଲେ। ଏହାସହ ଅଙ୍ଗନୱାଡିକୁ ଆକର୍ଷଣରେ ପରିଣତ କରାଯିବ ବୋଲି ସେ କହିଛନ୍ତି।
ଏହା ସହ ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ୧୦୦ ଦିନିଆ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ସମୁଦାୟ, ଯୁବ ନେତୃତ୍ୱ, ଆଶା, ଅଙ୍ଗନୱାଡି କର୍ମୀ ଓ ସଂସ୍ଥାଗତ ମଞ୍ଚଗୁଡ଼ିକର ସକ୍ରିୟ ସଂପୃକ୍ତି ମାଧ୍ୟମରେ କନ୍ୟା ଶିକ୍ଷା, ସଚେତନତା ଓ ସୁରକ୍ଷାକୁ ମଜବୁତ କରାଯିବ। ସାଇକେଲ ରାଲି, ଯୁବ ସମ୍ମିଳନୀ, ମାନବ ଶୃଙ୍ଖଳ, ସ୍କୁଲ୍-କଲେଜ ଭିତ୍ତିକ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ଡିଜିଟାଲ ସଚେତନତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ସଫଳ କରାଇବା ଉପରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଗୁରୁତ୍ଵ ଦେଇଛନ୍ତି।
ଅଧିକ ପଢନ୍ତୁ: ଭଙ୍ଗାଯିବ ନଅ ତାଲା ଓ ରାଜୀବ ଭବନ; ହେଲେ ଭଙ୍ଗାଯିବନି ବର୍ତ୍ତମାନର ବିଧାନସଭା, ମ୍ୟୁଜିୟମ ଭାବେ କରାଯିବ ବ୍ୟବହାର