କେନ୍ଦୁଝର: ମୋର ଗୋଟିଏ ଲକ୍ଷ୍ୟ, “ମୁଁ ମୋ ସ୍ୱପ୍ନର ସୁନାର ଓଡିଶା ତିଆରି କରିବି”। ଯେ ପର୍ଯ୍ୟନ୍ତ ମୋ ଶରୀରରେ ରକ୍ତ ପ୍ରବାହିତ ହେଉଥିବ, ସେପର୍ଯ୍ୟନ୍ତ ଲୋକ ହିତରେ ପ୍ରତ୍ୟେକ କାମ କରିବି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତ କରି ଜିଲ୍ଲାକୁ ୧୯୦୦ କୋଟିର ପ୍ରକଳ୍ପ ଭେଟି ଦେବା ଅବସରରେ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଇଁ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ୭୧ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସମୁଦାୟ୧୭୦୮ କୋଟି ଟଙ୍କା ମୂଲ୍ୟର ୩୫ ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ପ୍ରାୟ ୧୯୪ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଏଥିରେ ବିଦ୍ୟାଳୟ, ଛାତ୍ରାବାସ, ଜଳ ସେଚନ ପ୍ରକଳ୍ପ, ପାର୍କିଂ ଜୋନ, ରାସ୍ତା ନିର୍ମାଣ, ପୋଖରୀ ଉନ୍ନତିକରଣ, ପର୍ଯ୍ୟଟନ ପ୍ରକଳ୍ପ, ଲାଇବ୍ରେରୀ, କ୍ୟାରିଅର କାଉନ୍ସେଲିଂ ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ବିଲ୍ଡିଂ ଇତ୍ୟାଦି ରହିଛି । ପୂର୍ବରୁ ଘୋଷଣା ଅନୁଯାୟୀ ରିଜିଓନାଲ୍ ପ୍ଲାଣ୍ଟ୍ ରିସର୍ଚ୍ଚ ସେଣ୍ଟର ବା ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା ପାଇଁ ୫୦ କୋଟି ଟଙ୍କା ବିନିଯୋଗରେ ଶିଳାନ୍ୟାସ କରାଗଲା ଏବଂ ୩୮ କୋଟି ୨୨ ଲକ୍ଷ ଟଙ୍କାରେ ୧୪୭ଟି ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଛି । ୧୦୧ କୋଟି ଟଙ୍କାରେ ୬ଟି ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରାଗଲା । କେନ୍ଦୁଝରର ବିଭିନ୍ନ ସ୍ଥାନରେ ୨୧.୫୦ କୋଟି ଟଙ୍କା ବିନିଯୋଗରେ ୧୦୪ଟି ଏସିଆର୍, ଆଇସିଟି ଲ୍ୟାବ୍ ଓ ପାଚେରୀର ଉଦ୍ଘାଟନ କରାଯାଇଛି । ଏଥିସହିତ ୧୪ କୋଟି ଟଙ୍କା ବିନିଯୋଗରେ ଚମ୍ପୁଆରେ ନିକଲସନ୍ ଫରେଷ୍ଟ ଟ୍ରେନିଂ ସ୍କୁଲ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସେହିପରି ୯.୬୦ କୋଟି ଟଙ୍କାରେ ଖଣି କ୍ଷେତ୍ରରେ ସ୍ଥାନୀୟ ଯୁବକମାନଙ୍କୁ ସ୍କିଲ୍ ଟ୍ରେନିଂ ଦେବା ପାଇଁ ଡିଏମ୍ଏଫ୍ ଖଣି ଶକ୍ତିର ଉଦ୍ଘାଟନ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେବେଠୁ ମାଆ ତାରିଣୀଙ୍କ ପ୍ରକଳ୍ପର ଶିଳାନ୍ୟାସ ହୋଇଛି, ସେବେଠାରୁ କେନ୍ଦୁଝରର ବିକାଶର ଡବଲ ଇଂଜିନ ଗାଡିରେ ରକେଟ୍ ଇଞ୍ଜିନ ଲାଗିଛି । କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ । ବଡ଼ବିଲରେ ଏକ ରିଙ୍ଗ ରୋଡ଼ କରାଯିବ । ଆସନ୍ତା ୩-୪ ବର୍ଷ ଭିତରେ କେନ୍ଦୁଝର ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ପ୍ରତିଷ୍ଠା ହାସଲ କରିବ ।
ରାଜ୍ୟରେ ବର୍ଣ୍ଣ ବୈଷମ୍ୟତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସରକାର ରାଜ୍ୟର ସନ୍ତୁଳିତ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ୨୦୦୦ ମସିହା ପରେ ଅନେକ ବାର ବିଧାନସଭା ଭିତରେ ଏବଂ ବାହାରେ ଏହି ଆଞ୍ଚଳିକ ବୈଷମ୍ୟତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲି। ସରକାର ଆସିବା ମାତ୍ରେ ଲୋକଙ୍କ ଏହି ଅଭିଯୋଗକୁ ସମାଧାନ କରିବା ପାଇଁ ଆମ ସରକାର ତୁରନ୍ତ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ। ରିପୋର୍ଟ ଆସିଲା ପରେ ଏହି ଦୁଇ ବିକାଶ ପରିଷଦ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ଗୋଟିଏ ଲକ୍ଷ୍ୟ- ମୁଁ ମୋ ସ୍ୱପ୍ନର ସୁନାର ଓଡିଶା ତିଆରି କରିବି । ଯେପର୍ଯ୍ୟନ୍ତ ମୋ ଶରୀରରେ ରକ୍ତ ପ୍ରବାହିତ ହେଉଥିବ, ସେପର୍ଯ୍ୟନ୍ତ ଲୋକ ହିତରେ ପ୍ରତ୍ୟେକ କାମ କରିବି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ବିକଶିତ ଓଡ଼ିଶାର ସ୍ଵପ୍ନ ସମ୍ଭବ ହୋଇପାରିବ। ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ ।
ସେହିପରି ମୁଖ୍ୟମନ୍ତ୍ରୀ ପୁଣି ଥରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଓଡିଶାର ପ୍ରତ୍ୟେକ ଅଞ୍ଚଳ ହେବ ବିକଶିତ। ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ହେବ ଶିଳ୍ପାୟନ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାର୍ଡ୍ସ ଅଫ୍ କେଉଁଝର (Birds of Keonjhar) ନାମକ ଏକ କଫି ଟେବୁଲ ବୁକ ଉନ୍ମୋଚନ କରିବା ସହିତ, ବିଭିନ୍ନ ଏସଏଚଜି ଗ୍ରୁପର ମହିଳା ହିତାଧିକାରୀଙ୍କୁ ସହାୟତା ରାଶି ଚେକ ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ଚରଣ ନାୟକ, ବିଧାୟକ ସନାତନ ମହାକୁଡ, ବିଧାୟକ ଡାକ୍ତର ଫକୀର ଚରଣ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ବିଶାଳ ସିଂ, ଡିଆଇଜି ବ୍ରିଜେସ ରାୟ, ଏସ୍ପି ନିତୀନ କୁଶଲକୁର, ଡିଏଫଓ ଏଚଡ଼ି ଧନରାଜ ପ୍ରମୁଖ ଉପସ୍ଥିତ ଥିଲେ।