ଭୁବନେଶ୍ୱର: ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର୍ ପୂର୍ବରୁ ରାଜ୍ୟରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ପ୍ରାୟ ୭ ହଜାର ବୁଥ୍ ସଂଖ୍ୟା ବଢ଼ାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି ।
ଏସ୍ଆଇଆର୍ ପ୍ରସ୍ତୁତି ବିଗତ ପାଞ୍ଚ ମାସ ହେଲା ଜାରି ରହିଛି । ଏଥିରେ ଏକ ଗୁରୁତ୍ୱ ପୂର୍ଣ୍ଣ ଦିଗ ଭାବରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ୨୦୨୫ରେ ମତଦାତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୭ ହଜାର ବୁଥ୍ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ପ୍ରାୟ ୩୬ ହଜାର ବୁଥ୍ ଥିବାବେଳେ ବର୍ଦ୍ଧିତ ସଂଖ୍ୟା ସହିତ ଏହା ୪୩ ହଜାରକୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତି ବୁଥରେ ମତ ଦାତାଙ୍କ ସଂଖ୍ୟା ଅତିବେଶୀରେ ୧୨୦୦ ରଖାଯାଇଛି । ଯାହା ଫଳରେ ମତଦାନରେ ଅଧିକ ସମୟ ଲାଗିବ ନାହିଁ । ପୂର୍ବରୁ ଗୋଟିଏ ବୁଥରେ ମତଦାତାଙ୍କ ସଂଖ୍ୟା ୧୪୦୦ ଥିଲା । ଯଦ୍ୱାରା ମତଦାନରେ ବିଳମ୍ବ ହେଉଥିଲା । ଏହା ଜାତୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ୱୀକୃତି ପାଇ ସାରିଛି । ଏସ୍ଆଇଆର୍ ପାଇଁ ଏହି ସମସ୍ତ ବୁଥରେ ତାଲିମ ପ୍ରାପ୍ତ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇ ସରିଛି ।
ସେହିପରି ଶେଷ ଥର ପାଇଁ ୨୦୦୨ ମସିହାରେ ଏସ୍ଆଇଆର୍ ହୋଇଥିଲା । ସେତେବେଳେ ଯେଉଁମାନଙ୍କ ନାଁ ଥିଲା ୨୦୨୫ରେ ସେମାନଙ୍କୁ ଆଉ କୌଣସି ପ୍ରକାର ଯାଞ୍ଚର ଆବଶ୍ୟକତା ପଡ଼ିବ ନାହିଁ । ୨୦୦୨ ସହିତ ୨୦୨୫ରେ ତଥ୍ୟକୁ ମ୍ୟାପିଂ କରାଯାଇଛି । ସେମାନଙ୍କୁ ଚିହ୍ନଟ କରିବା ବା ମ୍ୟାପିଂ କରିବା ପ୍ରକ୍ରିୟା ୭୦ ପ୍ରତିଶତ ଶେଷ ହୋଇଛି । ସେମାନଙ୍କ ସହିତ ସେମାନଙ୍କ ପୁଅ ଝିଅର ନାମ କିପରି ଯୋଡ଼ାଯିବ ତାହା ଉପରେ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । ସ୍ଥାନାନ୍ତରଣ, ବିବାହିତ ଝିଅ ଆଦିଙ୍କୁ ଚିହ୍ନଟ କରାଯାଉଛି । ଯେଉଁମାନେ ୨୦୦୨ ରୁଲରେ ଥିଲେ ସେମାନଙ୍କର ଚିହ୍ନଟ ସରିଲେ ସେମାନଙ୍କୁ ଯାଞ୍ଚ ପାଇଁ ଆଉ କୌଣସି କାଗଜପତ୍ର ଦେବାକୁ ପଡ଼ିବ ନାହିଁ । କିନ୍ତୁ ଯେଉଁମାନଙ୍କର ନାଁ ନାହିଁ ସେମାନଙ୍କୁ ଆବଶ୍ୟକୀୟ କାଗଜ ପତ୍ର ଦେବାକୁ ପଡ଼ିବ ।
ଭାରତୀୟ ନିର୍ବାଚନ ଅୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍ଆଇଆର୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୁବିଧାରେ କିପରି ଲୋକେ ଏସ୍ଆଇଆର୍ ରେ ଅଂଶ ଗ୍ରହଣ କରିପାରିବେ ତାହା ଉପରେ ଧ୍ୟାନ ଦିଆଯାଇଛି ।