ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଛତାମହୁଲ ରୁପ୍ରାରୋଡ଼ରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଗୋଦାମର ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଗୋଦାମରୁ ମାଓ ପୋଷ୍ଟର ମିଳିଥିବା ଜଣାପଡ଼ିଛି ।
ନର୍ଲା ଥାନା ଅନ୍ତର୍ଗତ ଛତାମହୁଲ ରୁପ୍ରାରୋଡ଼ରେ ଥିବା ଜଣେ ଠିକାଦାରଙ୍କ ଏକ ଗୋଦାମରେ ଅଗ୍ନିକାଣ୍ଡରେ ଘଟିଛି । ସୋମବାର ବିଲମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ତେବେ ଗୋଦାମରୁ ମାଓ ପୋଷ୍ଟର ଜବତ କରାଯାଇଛି । ପୋଷ୍ଟରେ ଆହୁରି ଗୋଦାମ ଜାଳି ଦେବାକୁ ଏବଂ ହତ୍ୟା କରିବାକୁ ଧମକ ଦିଆଯାଇଛି । ଗୋଦାମର ମାଲିକଙ୍କ ନାତିକୁ ସେମାନଙ୍କ ଉପରେ ନଜର ନ ରଖିବାକୁ କୁହାଯାଇଛି । ଯଦି ନଜର ରଖିବା ବନ୍ଦ ନ କରନ୍ତି ତେବେ ତାଙ୍କ ନାତିଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ମିଳିଛି । ଠିକାଦାରଙ୍କ ଜଣେ କର୍ମଚାରୀଙ୍କୁ ୪୮ ଘଣ୍ଟାରେ ମାରିଦେବାକୁ ମଧ୍ୟ ଉଲ୍ଲେଖ କରାଯାଇଛି ।
ନର୍ଲା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ପୋଷ୍ଟରକୁ ଜବତ କରିଛି । ପୋଷ୍ଟର ଗୁଡ଼ିକ ନକଲି ବୋଲି କଳାହାଣ୍ଡି ଏସପି ଯାଞ୍ଚ କରିବା ପରେ ସ୍ପଷ୍ଟ କରିଛନ୍ତି । ଏହା କୌଣସ ମାଓ ପୋଷ୍ଟର ନୁହେଁ । ତେବେ ଗୋଦାମରେ ନିଆଁ କିଏ ଲଗାଇଲା ଏବଂ ପୋଷ୍ଟର କିଏ ଜାରି ସେ ନେଇ ପୋଲିସ ଯାଞ୍ଚ ଜାରି ରଖିଛି ।