ଭୁବନେଶ୍ୱର: ସ୍ଥାନୀୟ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଆଇଆଇଟି ପରିସରରେ ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ମୃତ ଛାତ୍ର ଜଣକ ରାଜ୍ୟ ବାହାରର ଅଟନ୍ତି । ସେ ହେଲେ ପଶ୍ଚିମବଙ୍ଗ କୋଲକାତାର ଛାତ୍ର ଶଙ୍ଖଶୁଭ୍ର ଚକ୍ରବର୍ତ୍ତୀ । ସେ ଆଇଆଇଟିରେ ପିଏଚଡି କରୁଥିଲେ ।
ପ୍ରାପ୍ତ ପ୍ରାଥମିକ ସୂଚନା ଆଧାରରରେ, ଗତକାଲି ରାତିରେ ପିଏଚଡି ଛାତ୍ର ଶଙ୍ଖଶୁଭ୍ର ଚକ୍ରବର୍ତ୍ତୀ ଏବଂ ତାଙ୍କର ଜଣେ ବନ୍ଧୁ ଏକ ସ୍କୁଟିରେ ଯାଉଥିଲେ । ଏହି ସମୟରେ କ୍ୟାମ୍ପସ ଭିତରେ ହିଁ ସେମାନଙ୍କ ସ୍କୁଟି ଏକ ଡିଭାଇଡରେ ପିଟି ହୋଇଥିଲା । ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଶଙ୍ଖଶୁଭ୍ରଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଅନ୍ୟ ଜଣେ ଛାତ୍ର ଏବେବି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ କିପରି ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।