ଭୁବନେଶ୍ୱର : ବସନ୍ତ ନାୟକ ସ୍ମୃତି ସମ୍ମାନ ପାଇବେ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତି। ବସନ୍ତ ନାୟକଙ୍କ ପ୍ରଯୋଜନାରେ ଅପରାଜିତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ର ଓଲିଉଡ଼କୁ ନୂଆ ଦିଗ ଦେଇଛି। ୧୯୮୪ରୁ ୨୦୦୯ ପର୍ଯ୍ୟନ୍ତ ପ୍ରାୟ ତିନି ଦଶକ ଧରି ଏହି ପ୍ରଯୋଜନା-ଅଭିନୟର ସଫଳ ଯୁଗଳବନ୍ଦୀ ଦର୍ଶକଙ୍କ ମନରେ ଅଭୂଲା ଛାପ ଛାଡ଼ିଛି। ତେଣୁ ବସନ୍ତ ନାୟକ ଫାଉଣ୍ଡେସନ ପକ୍ଷରୁ ଜୀବନବ୍ୟାପୀ ସାଧନା ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖରେ ଜୟଦେବ ଭବନରେ ବସନ୍ତ ନାୟକ ଫାଉଣ୍ଡେସନ ପକ୍ଷରୁ ପ୍ରଯୋଜକ ସ୍ବର୍ଗତ ବସନ୍ତ ନାୟକଙ୍କ ୯୦ତମ ଜନ୍ମ ବାର୍ଷିକୀ ପାଳନ କରାଯିବ। ଏହିଦିନ ସ୍ବର୍ଗତ ବସନ୍ତ ନାୟକଙ୍କ ସ୍ମୃତି ଚାରଣ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହାପରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ଅନେକ ଲୋକପ୍ରିୟ ସୁପ୍ରସିଦ୍ଧ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଏବଂ ନିର୍ଦେଶକ ଯୋଗଦେଇ ସଫଳତାର ସହିତ କାର୍ଯ୍ୟକ୍ରମକୁ ଆଗେଇ ନେବେ।
ଅଧିକ ପଢନ୍ତୁ : ଆଜି ଲୋହରୀ ପର୍ବ : ସୁଖ, ସମୃଦ୍ଧତା ଏବଂ ଭାଗ୍ୟର ପ୍ରତୀକ ଏହି ଦିନ