ଢେଙ୍କାନାଳ: ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟରେ କାମଳ ରୋଗ ବା ଜଣ୍ଡିସ୍ ଆତଙ୍କ ଦେଖାଦେଇଛି । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଥିବା ନବୋଦୟ ବିଦ୍ୟାଳୟରେ କାମଳ ରୋଗ ପ୍ରସାରିତ ହେବା ପରେ ପୁଣି ଢେଙ୍କାନାଳରେ ଏକ ଆଦର୍ଶ ବିଦ୍ୟାଳୟରେ କାମଳ ଆତଙ୍କ ସୃଷ୍ଟି ହୋଇଛି । ଜିଲ୍ଲାର ଗଦିଆଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ କାମଳରେ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।
ମଙ୍ଗଳବାର ଗଦିଆଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମଣ୍ଡଳ ଶିକ୍ଷା ଅଧିକାରୀ ବିଦ୍ୟାଳୟର ପରିଦର୍ଶନ କରି ପରିମଳ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏହି ସମୟରେ ଅଭିଭାବକମାନେ ତାତିଛନ୍ତି । ଅଭିଭାବକମାନେ ବିଇଓଙ୍କୁ ଘେରି ବିଦ୍ୟାଳୟରେ ଥିବା ପାଇଖାନାକୁ ଦେଖାଇଛନ୍ତି । ନିୟମିତ ବ୍ୟବଧାନରେ କାହିଁକି ଯାଞ୍ଚ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବରପଦାର ଏକ ସ୍ୱାସ୍ଥ୍ୟ ଟିମ୍ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
ବିଦ୍ୟାଳୟରେ ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାକୁ ଅତିରିକ୍ତ ଶିକ୍ଷା ଅଧିକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଏଡିଇଓ କହିଛନ୍ତି ।