ଭୁବନେଶ୍ୱର: ଗାୟକ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଗାୟିକା ଅର୍ପିତା ଚୌଧୁରୀଙ୍କୁ ଆଶ୍ୱସ୍ତି ମିଳିଛି । ମାନ୍ୟବର ଉଚ୍ଚ ଅଦାଲତ ଅର୍ପିତା ଚୌଧୁରୀ ଏବଂ ସୋମେଶ ଶତପଥୀଙ୍କୁ ଅନ୍ତରୀକ୍ଷ ସୁରକ୍ଷା ପ୍ରଦାନ କରିଛନ୍ତି ।
ହାଇକୋର୍ଟ ବିଚାରପତି ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ପିତା ଏବଂ ସୋମେଶଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିଛନ୍ତି । ଉଭୟଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଏହା ସହିତ କୋର୍ଟ କେସ୍ ଡାଏରୀ ଦାଖଲ ପାଇଁ ମର୍କତନଗର ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ହ୍ୟୁମାନଙ୍କ ମା’ ତଥା ଅଭିଯୋଗକାରୀ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହିତ ମାମଲାର ପ୍ରତିପକ୍ଷ ନମ୍ବର-୨ ଶ୍ରୀମତୀ ସୁନାଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।
ଉଲ୍ଲେଖ ଯୋଗ୍ୟ, ଡିସେମ୍ବର ୨୧ରେହ୍ୟୁମାନ ସାଗରଙ୍କ ମାଆ ସେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଅର୍ପିତା ଚୌଧୁରୀ, ସୋମେଶ ଶତପଥୀ, ହ୍ୟୁମାନଙ୍କ ମ୍ୟାନେଜର ଦିନେଶ, ବୋହୂ ଶ୍ରେୟା ମିଶ୍ରଙ୍କ ସମେତ ୯ ଜଣଙ୍କ ନାମରେ ଏତଲା ଦେଇଥିଲେ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଶେଫାଳୀ ଗାୟିକା ଅର୍ପିତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ଅର୍ପିତା ହ୍ୟୁମାନଙ୍କ ଘରକୁ ଆସୁଥିଲେ । ମାତ୍ର ହଠାତ୍ ଘରକୁ ଆସିବା ବନ୍ଦ କରିଦେବା ପରେ ହ୍ୟୁମାନ ମାନସିକ ଅବସାଦକୁ ପଳାଇଯାଇଥିଲେ । ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିଥିଲା ବୋଲି ସେଫାଳୀ କହିଥିଲେ । ଡିସେମ୍ବର ୩୦ ତାରିଖରେ ଅର୍ପିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅର୍ପିତା ଏବଂ ସୋମେଶ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ।