ନୂଆଦିଲ୍ଲୀ: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ପୋଲିସ ଏବଂ ସ୍ଥାନୀୟ ସୂଚନା ଅନୁଯାୟୀ, ସମୀର ଦାସ ନାମକ ଜଣେ ଅଟୋ-ରିକ୍ସା ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ପିଟି ପିଟି ହତ୍ୟା କରିଛନ୍ତି। ତାଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ରିକ୍ସା ନେଇ ପଳାଇ ଯାଇଛନ୍ତି।
ସମୀର କୁମାର ଦାସ ଦୀର୍ଘ ସମୟ ଧରି ବ୍ୟାଟେରୀ ଚାଳିତ ଅଟୋ-ରିକ୍ସା ଚଲାଉଥିଲେ। ରବିବାର ରାତିରେ ସେ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଅଞ୍ଚଳର ବିଭିନ୍ନ ସ୍ଥାବରେଖୋଜାଖୋଜି ଆରମ୍ଭ କରିଥିଲେ। ସେମାନେ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ। ରାତି ପ୍ରାୟ ୨ଟାରେ ଦକ୍ଷିଣ କରିମପୁରର ମୁହୁରି ବାରି ନିକଟରେ ସ୍ଥାନୀୟ ଲୋକମାନେ ସମୀରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। ସୂଚନା ପାଇ ପୋଲିସ ମୃତଦେହ ଉଦ୍ଧାର କରି ଫେନି ଜେନେରାଲ ହସ୍ପିଟାଲକୁ ପଠାଇଛି।
ଦାଗାନଭୂଇଁଆ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ (ଓସି) ମହମ୍ମଦ ଫୟାଜୁଲ ଅଜିମ କହିଛନ୍ତି ଯେ ପୋଲିସ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ କାମ କରୁଛି। ସମସ୍ତ ଦିଗର ତଦନ୍ତ କରାଯାଉଛି। ଜାଣିବାକୁ ଚେଷ୍ଟା କରାଯାଉଛି ଯେଅଟୋ-ରିକ୍ସା ଲୁଟ କରିବା ପାଇଁ ହତ୍ୟା କରାଯାଇଥିଲା କି ଅନ୍ୟ କୌଣସି ଉଦ୍ଦେଶ୍ୟ ଥିଲା। ମୃତକଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।
୨୦୨୪ ତତ୍କାଳୀନ ଶେଖ ହସିନା ସରକାର ବିରୋଧରେ ବିଦ୍ରୋହ ପରଠାରୁ ବାଂଲାଦେଶ ଅଶାନ୍ତ ଲାଗି ରହିଛି। ଏଠାରେ ହିନ୍ଦୁମାନଙ୍କ ଉପରେ ଉଗ୍ରବାଦୀମାନଙ୍କ ଦ୍ଵାରା କରାଯାଇଥିବା ଅତ୍ୟାଚାର ବିଶ୍ଵବ୍ୟାପୀ ଚିନ୍ତାର କାରଣ ପାଲଟିଛି। ସାରା ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ବଢ଼ୁଥିବା ଆକ୍ରମଣ ଉପରେ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲ ଗଭୀର ଚିନ୍ତା ପ୍ରକାଶ କରିଛି।
Also read: ସପ୍ତାହରେ ଦୁଇ ଥର ବେହୋସ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଧନଖଡ଼, ଏମ୍ସରେ ଭର୍ତ୍ତି