ଭୁବନେଶ୍ୱର : ପୁଣି ଖସିଲା ପାରଦ। କମିଲା ତାପମାତ୍ରା ଏବଂ ଅନୁଭୂତ ହେଲା ହାଡ଼ଭଙ୍ଗା ଶୀତ। ରାଜ୍ୟକୁ ପୁଣି ଧୀରେ ଧୀରେ ଶୀତର ଲେଉଟାଣି। ପୁଣି ୧ ରୁ ୨ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା ଖସିଛି। ଆଗାମୀ ଦୁଇ ଦିନ ଶୀତ ଲହରୀ ପାଇଁ ଝାରସୁଗୁଡା, ଅନୁଗୁଳ ଏବଂ ବୌଦ୍ଧକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟକୁ ହାଡ଼ଭଙ୍ଗା ଶୀତ ଫେରିବା ସହ ଶୀତଲହରୀ ପରିସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏହାସହିତ କିଛି କିଛି ସ୍ଥାନରେ ଘନ କୁହୁଡିର ଆସ୍ତରଣ ମଧ୍ୟ ଦେଖା ଦେଇପାରେ।
ଅନ୍ୟପଟେ ଆସନ୍ତା ୧୫ ତାରିଖ ଯାଏ ଶୀତ ଲହରୀ ଜାରି ରହିବ। ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ଖସିଯିବାର ମଧ୍ୟ ଆଶଙ୍କା ରହିଛି। ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି। ବଢୁଥିବା ଶୀତ ତଥା ଘନ କୁହୁଡ଼ିକୁ ଦେଖି ଗାଡି ଚାଳକଙ୍କୁ ସୁରକ୍ଷିତ ଭାବେ ଗାଡି ଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ଜାରି ହୋଇଛି।