ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ କଳିଙ୍ଗା ଘାଟିରେ ଦୁର୍ଘଟଣାକୁ ରୋକିବାକୁ ବାଜିବ ଘଣ୍ଟି । ଅପରପାର୍ଶ୍ୱରୁ ଗାଡ଼ି ଆସୁଥିବା ସତର୍କ ଘଣ୍ଟି ବାଜିବ । ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସତର୍କ ସୂଚନା ଘଣ୍ଟିର ଶୁଭ ଉଦ୍ଘାଟନ କରିଛନ୍ତି ।
ରାଜ୍ୟର ସଡକ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ଓ ଦେଶରେ ବଢୁଥିବା ସଡକ ଦୁର୍ଘଟଣା ଯୋଗୁ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସମସ୍ତଙ୍କୁ ସଡକ ସୁରକ୍ଷାର ନିୟମ ପାଳନ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟର ଘାଟିରାସ୍ତା ଗୁଡିକରେ ସଡକ ସୁରକ୍ଷା ପାଇଁ ଏକ ଅନନ୍ୟ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । କଳିଙ୍ଗା ଘାଟିରେ ଗାଡି ଚାଳକମାନଙ୍କୁ ସତର୍କ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ ସୂଚନା ଘଣ୍ଟିର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ବ୍ୟବସ୍ଥାରେ ଘାଟିର ଉଭୟ ପଟୁ ଗାଡି ଆସୁଥିଲେ ସାଇରନ ବାଜି ସତର୍କ କରାଇବ। ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । ଏହାର ସଫଳତାକୁ ଦେଖି ଅନ୍ୟାନ୍ୟ ଘାଟି ରାସ୍ତାରେ ଏହା ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ପାଇଁ ରାଜ୍ୟ ସରକାର ଚାରିଟି ‘E’ ପାଳନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ସେଗୁଡିକ ହେଲା ଏଜୁକେସନ ବା ଶିକ୍ଷା, ଏନ୍ଫୋର୍ସମେଣ୍ଟ ବା ନିୟମର କଡାକଡି ଅନୁପାଳନ, ଇଞ୍ଜିନିୟରିଂ ବା ଯୋଗାଯୋଗ ଭିତ୍ତିଭୂମି ଓ ଯାନବାହନରେ ଉନ୍ନତ ଇଞ୍ଜିନିୟରିଂ ବିଦ୍ୟା ପ୍ରୟୋଗକରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଏମର୍ଜେନ୍ସି ବା ଜରୁରୀ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ। ଏହି ଚାରିଟି ନିୟମ ଅନୁପାଳନ ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଉ ଦୁଇଟି ‘E’ ଅନୁପାଳନ ପାଇଁ ପରାମର୍ଶ ଦେଇଥିଲେ। ଏହାହେଲା ଏନ୍ଭିରନ୍ମେଣ୍ଟ ଓ ଇଭାଲ୍ୟୁଏସନ । ଯାନବାହନର ପ୍ରଦୂଷଣ ନିୟମକୁ ସଠିକ୍ ଭାବେ ପାଳନ କରିବା ସହିତ ସଡକ ସୁରକ୍ଷାର ଯେଉଁ ନିୟମ ଗୁଡିକ ଅଛି, ତାହାର ଫଳାଫଳ ସମ୍ପର୍କରେ ଉପଯୁକ୍ତ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ମୂଲ୍ୟାୟନକୁ ଭିତ୍ତିକରି ବିଭିନ୍ନ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କିମ୍ବା ଆହୁରି ଉନ୍ନତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରକାଶ ଯୋଗ୍ୟ, ଗତ ମାସରେ କଳିଙ୍ଗା ଘାଟିରେ ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଲାଗିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ଆଇଆଇଟି ପକ୍ଷରୁ କଳିଙ୍ଗା ଘାଟିରେ ପରୀକ୍ଷା ମୂଳକ ଭାବରେ ଏହି ସତର୍କ ଘଣ୍ଟି ଲଗାଯାଇଥିଲା । ଏହା ସୌର ବିଦ୍ୟୁତ୍ ଚାଳିତ ଓ ନିଜେ ପରିଚାଳିତ ହେବ, ଯାହା ଫଳରେ ୪ ଫୁଟ ଉଚ୍ଚତାରେ ସେନ୍ସର ଓ କ୍ୟାମେରା ଆଲର୍ଟ କରିବ । ଅପର ପାର୍ଶ୍ୱରୁ ଗାଡି ଆସିଲେ ଅନ୍ୟ ପାର୍ଶ୍ଵରେ ନାଲି ବତି ଜଳି ହର୍ଣ୍ଣ ବାଜିବ, ଯାହା ଫଳରେ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଚାଳକ ସତର୍କ ହୋଇଯିବେ ।