ଭୁବନେଶ୍ୱର: ଓଡିଶା ରାଜଧାନୀ ଭୁବନେଶ୍ୱରର ବିକାଶ କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ଏଣିକି ଗୋଟିଏ ସ୍ଥାନରେ ରହିବ। ପ୍ରାୟ ୭୧.୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଭବ୍ୟ ପ୍ରକଳ୍ପ ପାଇଁ ସରକାର ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି। ଏହାର ମାଷ୍ଟରପ୍ଲାନ ଅନୁମୋଦନ ହୋଇସାରିଛି। ଏହି ନୂଆ ଭବନରେ ଭୂତଳ ପାର୍କିଂ ଭଳି ଆଧୁନିକ ସୁବିଧା ରହିବ।
ଆଜି ମୁଖ୍ୟମନ୍ତ୍ରୀ ମୋଟ ୬,୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଲୋକ ସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରାଜଧାନୀର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ‘ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି।
ଏହି ପ୍ରକଳ୍ପ ଅଧୀନରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଏବଂ କୀଟ ଛକରେ ଫ୍ଲାଏ ଓଭର ନିର୍ମାଣ ହେବ। ବିଶେଷ କରି ଜୟଦେବ ବିହାର ଛକରେ ଏକ ୪-ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ୍ ନିର୍ମାଣ କରିବାକୁ ଯୋଜନା ରହିଛି। ପରିବେଶକୁ ଗୁରୁତ୍ୱ ଦେଇ ରାସ୍ତାର ଦୁଇ ପାର୍ଶ୍ୱରେ ୨୨,୪୧୦ଟି ଗଛ ଲଗାଯିବ।