ଅନୁଗୁଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦନ୍ତା ହାତୀଙ୍କ ଦୌରାମ୍ୟ। କେତେବେଳେ ଗାଁରେ ପଶି ଚାଷ ନଷ୍ଟ କରିଦେଉଛନ୍ତି ତ କେତେବେଳେ ପୁଣି ନିରୀହ ଲୋକଙ୍କୁ ନିଜ ପାଦରେ ଦଳି ଦେଉଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ। ସେହିପରି ଅନୁଗୁଳରେ ଜନବସତି ମୁହାଁ ହାତୀପଲ। ଶଙ୍ଖପୁର ଗାଁରେ ଜଣେ ମହିଳାଙ୍କୁ ଦଳିଦେଇଛି ଦନ୍ତା। ଫଳରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଇଚ୍ଛା ଦେହୁରୀ।
ସୂଚନା ଅନୁସାରେ,ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଶଙ୍ଖପୁର ଗାଁରେ ପଶିଆସିଥିଲା। ଯାହାଫଳରେ ଅନେକ ଫସଲ ନଷ୍ଟ କରିବା ସହିତ ଅନେକ ଘର ମଧ୍ୟ ଭାଙ୍ଗି ଦେଇଥିଲା। ଏପରିକି ଇଚ୍ଛା ଦେହୁରୀ ନାମକ ଜଣେ ଗ୍ରାମବାସୀ ନିଜ ଘରେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗି ତାଙ୍କୁ ଦଳିଦେଇଥିଲା। ଫଳରେ ଇଚ୍ଛା ଦେହୁରୀ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ହର୍ଟି କରିଥିଲେ ହେଲେ ଡାକ୍ତରଖାନରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ଦେଖିବାକୁ ଗଲେ ରାଜ୍ୟରେ ହାତୀ ଓ ମଣିଷ ଭିତରେ ଚାଲିଥିବା ଲଢେଇ ତୀବ୍ର ହେବାରେ ଲାଗିଛି। ଗତ ୫ ବର୍ଷରେ ଅନୁଗୁଳ ବନମଣ୍ଡଳରେ ୧୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହେଲାଣି। ହାତୀ ଆକ୍ରମଣରେ ୨୨୫ରୁ ଅଧିକ ଲୋକଙ୍କ ଜୀବନ ବି ଯାଇଛି ବୋଲି ଅନୁଗୁଳ ବନମଣ୍ଡଳର ଏ ତଥ୍ୟ ଦର୍ଶାଉଛି। ଯାହାଫଳରେ ପରିବେଶ ସନ୍ତୁଳନରେ ଅସମୟରେ ଅନେକ ସମସ୍ୟା ଦେଖିବାକୁ ମିଳିଛି।