ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଲିମାପଡ଼ା ମୁଖ୍ୟ ରାସ୍ତାରେ ଏକ ଅଘଟଣ ଘଟିଯାଇଛି । ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଛି । ମୃତକ ଦୁଇ ଭାଇ ମୁନା କିମ୍ବାକା ଓ କ୍ରିଷ୍ଣା କିମ୍ବାକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଦୁଇ ଭାଇ କୌଣସି କାମରେ ଗୁଣୁପୁରକୁ ଆସିଥିଲେ । ସେଠାରୁ କାମ ସାରି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଲିମାପଡ଼ା ନିକଟ ମୁଖ୍ୟ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣ ରାସ୍ତାକଡ଼କୁ ଛିଟିକି ପଡିଥିଲେ । ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ପୋଲିସ ସେମାନଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସୁଦ୍ଧା ଡାକ୍ତର ସେଠାରେ ଦୁଇ ଭାଇଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।