କଟକ: ବାପାଙ୍କୁ ପ୍ରଶଂସା କଲେ ଝିଅ ସୋଫିଆ ଫିର୍ଦ୍ଦୋସ। ଆଜିର ଯୁବ ସମାବେଶରେ ଖୋଲା ମଞ୍ଚରେ ସେ ମୋକିମଙ୍କ ସପକ୍ଷରେ ବାହାରି ପ୍ରଶଂସା କରିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ମୋକିମ୍ ଫାଉଣ୍ଡେସନର ଯୁବ ସମାବେଶରେ ସୋଫିଆ ବଡ଼ କଥା କହିଛନ୍ତି ।
ଆଜିର ଯୁବ ସମାବଶରେ ଅନେକ ନେତା ଏକାଠି ହୋଇଥିଲେ। ତେବେ ସୋଫିଆ ଏଥିରେ ସାମିଲ ହୋଇ ବାପାଙ୍କୁ ପ୍ରଶଂସାରେ ପୋତିଛନ୍ତି । ସେ କହିଛନ୍ତି, "ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ। କେହି କାହାରିକୁ ନଡରି ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ୍ ହେବାକୁ ପଡ଼ିବ। ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ। ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି। ଦେଶକୁ ଗଢ଼ିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡ଼ିବ"। ମୋକିମଙ୍କ ନୂଆ ଦଳରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ମୋକିମ କହିଥିବା ବେଳେ ଆଜି ଏଭଳି କହିଛନ୍ତି ସୋଫିଆ। ତେବେ ଏଭଳି କହିବା ପରେ ସୋଫିଆଙ୍କ ଇଶାରା କୁଆଡ଼େ ବୋଲି ଚର୍ଚ୍ଚା ହେଉଛି।
ଗତ ଦୁଇଦିନ ପୂର୍ବରୁ ମୋକିମ ନୂଆ ଦଳ ଗଠନ ନେଇ ବଡ଼ ସୂଚନା ଦେଇଥିଲେ। ମୋକିମ୍ ଘୋଷଣା କରିଛନ୍ତି ଯେ ଆସନ୍ତା ମାର୍ଚ୍ଚ ମାସରେ ଏକ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଜନ୍ମଲାଭ କରିବ। ଏହି ଦଳ ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଓ କଂଗ୍ରେସ ଭଳି ଦଳର ବିଚାରଗତ ଢାଞ୍ଚା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଏଥି ସହିତ ଏହି ଦଳ ରାଜ୍ୟବାସୀଙ୍କ ନିକଟରେ ଏକ ବିକଳ୍ପ ରାଜନୈତିକ ଶକ୍ତିଭାବେ ନିଜକୁ ଉପସ୍ଥାପିତ କରିବ।
ତେବେ ନୂଆ ଦଳ ଗଠନ ପୂର୍ବରୁ ମୋକିମ୍ ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ନେତାମାନଙ୍କ ସହିତ ବିଚାରବିମର୍ଷ କରିବା ଆରମ୍ଭ କରିଛନ୍ତି। ଏତଦ୍ ବ୍ୟତୀତ ସେ ସ୍ୱତନ୍ତ୍ର ଭାବରେ ଛାତ୍ର, ଯୁବ ଓ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ସହିତ ପ୍ରାରମ୍ଭିକ ପର୍ଯ୍ୟାୟର ବିଚାରବିମର୍ଷ ପ୍ରକ୍ରିୟା ଆଗକୁ ବଢାଉଛନ୍ତି।
ଅଧିକ ପଢନ୍ତୁ: ଆସନ୍ତା ୧୨ରେ ମୋକିମଙ୍କ ବିଶାଳ ଯୁବ ସମାବେଶ