ଭୁବନେଶ୍ୱର: ବଦଳିବ ଜୟଦେବ ବିହାର-ନନ୍ଦନକାନାନ ରାସ୍ତାର ରୂପରେଖ। ଭୁବନେଶ୍ୱରର ଯାତାୟାତ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ଜୟଦେବ ବିହାର-ନନ୍ଦନକାନନ ରୋଡ୍ର ଉନ୍ନତିକରଣ ଓ ଫ୍ଲାଏଓଭର ନିର୍ମାଣ। କଳିଙ୍ଗ ଷ୍ଟାଡିୟମ୍ (ଗେଟ୍ ନଂ-୪) ଠାରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ (୯.୫ କିଲୋମିଟର) ରାସ୍ତାର ଆଧୁନିକୀକରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି।
ଭୁବନେଶ୍ୱର ବ୍ୟାପକ ବିକାଶ ଯୋଜନା (CDP ) -୨୦୩୦ ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ଏକ ୯.୫ କିଲୋମିଟର ବିଶିଷ୍ଟ ଉତ୍ସର୍ଗୀକୃତ ଏବଂ ବାଧାମୁକ୍ତ କରିଡର ବିକାଶ କରାଯିବ। ଏଥିପାଇଁ ପ୍ରାୟ ୯୫,୨୨୬.୪୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ବର୍ତ୍ତମାନର ୬-ଲେନ୍ ରାସ୍ତାକୁ ୮-ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ। ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଏବଂ କାଳାରାହାଙ୍ଗା ଜଙ୍କସନଠାରେ ୪-ଲେନ୍ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ କରାଯିବ।
ଜୟଦେବ ବିହାର ଛକରେ NH-16 ଉପରେ ଏକ ୧୯୦ ମିଟର ଲମ୍ବର ୪-ଲେନ୍ ବିଶିଷ୍ଟ କେବୁଲ୍-ଷ୍ଟେଡ୍ ବ୍ରିଜ୍ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି। ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାୟ ୧୭.୫ କିଲୋମିଟର ଲମ୍ବର ୫.୫ ମିଟର ଓସାର ବିଶିଷ୍ଟ ସର୍ଭିସ୍ ରୋଡ୍ ଏବଂ ୯ କିଲୋମିଟର ଲମ୍ବର ୭.୫ ମିଟର ଓସାର ବିଶିଷ୍ଟ ସ୍ଲିପ୍ ରୋଡ୍ ନିର୍ମାଣ କରାଯିବ।
ସହରର ବିଭିନ୍ନ ପ୍ରମୁଖ ଛକ ଯଥା- ଜୟଦେବ ବିହାର, ଜାଭିୟର ଛକ, କଳିଙ୍ଗ ହସ୍ପିଟାଲ୍ ଛକ, କେୟାର ହସ୍ପିଟାଲ୍ ଛକ, ଡମଣା ଛକ, ଇନଫୋସିଟି ଛକ, ଶିଶୁ ବିହାର ଜଙ୍କସନ, କିଟ୍ ଛକ ଏବଂ କଳାରାହାଙ୍ଗା ଜଙ୍କସନଠାରେ 'ଏଟ୍ ଗ୍ରେଡ୍' ରାଉଣ୍ଡଅବାଉଟ୍ (ଗୋଲେଇ) ଆକୃତିରେ ନିର୍ମାଣ କରାଯିବ।