ବଲାଙ୍ଗୀର : ପାଞ୍ଚ ଟଙ୍କିଆ କୁରକୁରେ ପ୍ୟାକେଟ ସାଜିଲା ବିସ୍ପୋରକ। ଅକାରଣରେ କୁନି ଛୁଆଟିର ଆଖି ସମ୍ପୂର୍ଣ୍ଣ ନଷ୍ଟ। ବିକଳ ହୋଇ କାନ୍ଦୁଛନ୍ତି ବାପା, ମାଆ। ମାଆ କୋଳରେ ଆଖିରେ ବ୍ୟାଣ୍ଡେଜ ବାନ୍ଧି ସୋଇ ରହିଛି ଶିଶୁ। ତେବେ ଏହି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ ଘଟିଛି। ନ୍ୟାୟ ପାଇଁ ଆହତ ପୁଅଟିକୁ ଧରି ଟିଟିଲାଗଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି ବାପା-ମାଆ। ଏହାସହିତ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ସୂଚନା ଅନୁସାରେ, ମଙ୍ଗଳବାର ସଂଧ୍ୟାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଶଗଡଘାଟ ଗାଁର ଲବ ହରପାଲଙ୍କ ଆଠ ବର୍ଷର ପୁଅ ଅଙ୍କେଶ ହରପାଲ ଗାଁର ଏକ ଦୋକାନରୁ କୁରକୁରେ ପ୍ୟାକେଟ କିଣିଥିଲା। ପ୍ୟାକେଟ ଭିତରୁ ଗୋଟିଏ ଖେଳଣା ବାହାରିଥିଲା। ଛୋଟ ଖେଳମାଟକୁ ଖେଳିବା ବେଳେ ଅଙ୍କେଶ ତାକୁ ନିଆଁରେ ପକାଇ ଦେଇଥିଲା। ନିଆଁରେ ପଡିବା ମାତ୍ରେ ସେଥିରୁ ଅଚାନକ ବିସ୍ଫୋରଣ ହୋଇଥିଲା ଓ ଅଙ୍କେଶର ମୁହଁ ପୋଡି ଯାଇଥିଲା। ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତାର ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଘଟଣାକୁ ନେଇ ବାପା-ମାଆ ଟିଟିଲାଗଡ଼ ଥାନାର ଦ୍ବାରସ୍ଥ ହୋଇ ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।
ଅଧିକ ପଢନ୍ତୁ : ଆଦର୍ଶ ବିଦ୍ୟାଳୟର ପିଲା କାମଳ ଆକ୍ରାନ୍ତ, ସ୍ଥିତି ପରଖିଲେ ଶିକ୍ଷା ଅଧିକାରୀ