ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଚରମରେ । ଇରାନରେ ଗତ କିଛି ସପ୍ତାହରେ ଜାରି ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ତକ୍ଷେପ କରିବାର ଧମକ ଦେବା ପୂରା ଦୁନିଆରେ ଚହଳ ପକାଇଛି । ଅନ୍ୟପଟେ ଆମେରିକାର ଯେ କୌଣସି ବି ହମଲାର ମୁହଁତୋଡ ଜବାବ ଦେବାକୁ ପଣ କରିଛି ଇରାନ । ତେଣୁ ବିଶ୍ୱରେ ଆଉ ଏକ ଯୁଦ୍ଧର ପଦଧ୍ୱନୀ ଶୁଣିବାକୁ ମିଳୁଛି । ଏହା ମଧ୍ୟରେ ଇସ୍ରାଏଲ ମଧ୍ୟ ଇରାନ ସହ କୌଣସି ପ୍ରକାରର ଲଢେଇକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହାକୁ ନେଇ ଇସ୍ରାଏଲର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ମାରାଥନ ବୈଠକ ଆରମ୍ଭ ହୋଇ ଯାଇଛି ।
ଇସ୍ରାଏଲ ସେନା ସୋମବାର ମାମଲାର ସୂଚନା ଦେଇ କହିଛନ୍ତି ଯେ, ସେନା ସମ୍ଭାବିତ ଭାବେ କୌଣସି ବି ସ୍ଥିତିକୁ ନେଇ ଆଲର୍ଟ ଅଛନ୍ତି । ଆଇଡିଏଫର ମୁଖପାତ୍ର ଜେନେରାଲ ଏଫି ଡେଫ୍ରିନ ସୋମବାର ବୟାନରେ କହିଛି ଯେ, ଇରାନରେ ବିରୋଧ ପ୍ରଦର୍ଶନ ଏକ ଆଭ୍ୟନ୍ତରୀଣ ମାମଲା । ମାତ୍ର ଆଇଡିଏଫ ରକ୍ଷାତ୍ମକ ଭାବେ ପ୍ରସ୍ତୁତ ଏବଂ ନିୟମିତ ଭାବେ ସ୍ଥିତିର ଆକଳନ କରୁଛୁ । ଇରାନ ମଧ୍ୟ କହିଛି ଯେ, ଯଦି ଶତ୍ରୁ ଦେଶ ହମଲା ପାଇଁ ଯୋଜନା କରେ ତେବେ ଆମେ ଆଗୁଆ ହମଲା କରିବୁ ।
ଏହା ମଧ୍ୟରେ ଇସ୍ରାଏଲର ଅଧିକାରୀଙ୍କ କହିବା କଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଧମକ ଦେଇଛନ୍ତି ତାହା ସେ ପୂରଣ କରିବେ । ଇରାନରେ ମଧ୍ୟରେ ଏକ ଯୁଦ୍ଧ ହେବାକୁ ଯାଉଛି । ସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ମଧ୍ୟ ପ୍ରସ୍ତୁତ ଅଛି । ଏହା ପୂର୍ବରୁ ଟ୍ରମ୍ପ ଅନେକ ତର ଇରାନରେ ହସ୍ତକ୍ଷେପ କରିବାକୁ ଧମକ ଦେଇ ସାରିଛନ୍ତି । ହ୍ୱାଇଟ୍ ହାଉସ ସୂତ୍ର ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କର ଜାତୀୟ ସୁରକ୍ଷା ଟିମ୍ ଇରାନ ବିରୋଧରେ ସମ୍ଭାବିତ ପଦକ୍ଷେପ ଉପରେ ବିଚାର କରୁଛନ୍ତି । ଏଥିରେ ସାଇବର ହମଲା ଏବଂ ଆମେରିକା କିମ୍ବା ଇସ୍ରାଏଲ ଦ୍ୱାରା ସିଧାସଳଖ ସାମରିକ ହମଲା ସାମିଲ୍ ।