ନୂଆଦିଲ୍ଲୀ: ରାଜକୋଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଦ୍ୱିତୀୟ ଦିନିକିଆ ଖେଳାଯିବ । ଏହି ମ୍ୟାଚ୍ ଅନେକ ଦୃଷ୍ଟିରୁ ଖାସ୍ ରହିଛି । ପ୍ରଥମ ମ୍ୟାଚ୍ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ମ୍ୟାଚ୍ ଜିତିି ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି ଭାରତ । ତେବେ ସବୁଠୁ ଅଧିକ ନଜର ରହିବ ଭାରତର ଚୂଡାନ୍ତ ଏକାଦଶ ଉପରେ ।
ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆହତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ଭଦୋଦରାରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ବୋଲିଂ ସମୟରେ ତାଙ୍କୁ ଆଘାତ ଲାଗିଥିଲା । ଏହା ପରେ ଡାକ୍ତରୀ ଦଳଙ୍କ ପରାମର୍ଶ କ୍ରମେ ବାକି ଦୁଇଟି ମ୍ୟାଚରୁ ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇଛି ।
ସୁନ୍ଦରଙ୍କ ସ୍ଥାନ ଭାରତୀୟ ଦଳ ୨୬ ବର୍ଷୀୟ ଆୟୁଷ ବାଦୋନୀଙ୍କୁ ଦିନିକିଆ ଦଳରେ ସାମିଲ୍ କରାଯାଇଛି । ଏବେ ପୂରା ସମ୍ଭାବନା ରାଜକୋଟ ଦିନିକିଆରେ ବାଦୋନୀଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇପାରେ । ଟିମ ଇଣ୍ଡିଆକୁ ନମ୍ବର ୫ରେ ଏମିତି ବ୍ୟାଟରର ଆବଶ୍ୟକତା ରହିଛି, ଯିଏ ଉଭୟ ବ୍ୟାଟିଂ ଓ ବୋଲିଂରେ ଯୋଗଦାନ ଦେଇ ପାରିବ । ବାଦୋନୀ ଏହି ଭୂମିକାରେ ଫିଟ୍ ରହି ପାରନ୍ତି।
ଆୟୁଷ ବାଦୋନୀ ଘରୋଇ କ୍ରିକେଟରେ ଲଗାତାର ଭଲ ପ୍ରଦର୍ଶନ କରି ଆସିଛନ୍ତି । ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲେ । ତାଙ୍କ ନିକଟରେ ଅଫ ସ୍ପିନ ବୋଲିଂର ବିକଳ୍ପ ରହିଛି ଯାହା ରାଜକୋଟ ଦିନିକିଆରେ ଉପଯୋଗୀ ସାବ୍ୟସ୍ତ ହୋଇପାରେ ।
ଦଳ ପାଖରେ ନୀତିଶ କୁମାର ରେଡ୍ଡୀ ଏବଂ ଧ୍ରୁବ ଜୁରେଲଙ୍କ ପରି ବିକଳ୍ପ ରହିଛି । ତେବେ ରେଡ୍ଡୀ ଜଣେ ଦ୍ରୁତ ବୋଲର ଅଲରାଉଣ୍ଡର ଏବଂ ଟିମ ପୂର୍ବରୁ ତିନି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିବାକୁ ଯାଉଛି । ଜୁରେଲ ବ୍ୟାଟିଂ କରି ପାରିବେ କିନ୍ତୁ ବୋଲିଂ କରି ପାରିବେ ନାହିଁ । ତେଣୁ ଦଳର ସନ୍ତୁଳନ ପାଇଁ ଆୟୁଷ ବାଦୋନୀ ଭାରତୀୟ ରଣନୀତି ସହ ଖାପ ଖାଉଛନ୍ତି । ଏହା ବାଦ୍ ଭାରତୀୟ ଦଳରେ ସେମିତି କୌଣସି ବଡ ପରିବର୍ତ୍ତନ ନଜର ଆସୁନାହିଁ । ପୁଣି ଥରେ ଅର୍ଶଦୀପ ସିଂଙ୍କୁ ବାହାରେ ବସିବାକୁ ପଡିପାରେ।
ଭାରତର ସମ୍ଭାବିତ ଏକାଦଶ
ରୋହିତ ଶର୍ମା, ଶୁଭମନ ଗିଲ୍(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଆୟୁଷ ବାଦୋନୀ, କେଏଲ ରାହୁଲ(ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ।
Also read: ୨୮ ହଜାର ରନ ପୂରଣ କରି ରେକର୍ଡ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନଙ୍କ ରେକର୍ଡ