ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ବିଚ୍ୟୁତି ହୋଇନାହିଁ । ସାମ୍ନାକୁ ଧାଇଁ ଆସିଥିବା ଯୁବକଙ୍କ ପରିଚୟ ମିଳିଛି । ସେ ଅଭିଯୋଗ ଜଣାଇବାକୁ ଆସିଥିବା ଡିସିପି କହିଛନ୍ତି ।
ଉକ୍ତ ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଜୟ କୁମାର ମଲ୍ଲିକ । ସେ ବ୍ୟକ୍ତିଗତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ଚାହୁଁଥିଲେ ବୋଲି ଡିସିପି ସୂଚନା ଦେଇଛନ୍ତି । ପଚରାଉଚରା ସମୟରେ ଜଣାପଡିଲା ଯେ ଯୁବକ ଜଣକ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ ଏବଂ ସେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସହିତ ଜଡିତ ଥିଲେ। ବର୍ତ୍ତମାନ ସେ ନିଜର ଚାକିରୀ ପାଇଁ ଚିନ୍ତିତ ଅଛନ୍ତି । ତାଙ୍କ ହାତରେ ଥିବା କାଗଜକୁ ଜବତ କରାଯାଇଛି, ଯାହାକି ଏକ ଅଭିଯୋଗ ପତ୍ର ଥିଲା । ପୋଲିସ ଉକ୍ତ କାଗଜକୁ ଜବତ କରିଛନ୍ତି । ଏସ୍ଆଇ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖିବା ନେଇ ସେ ଅଭିଯୋଗ କରିବାକୁ ଚାହୁଁଥିଲେ ବୋଲି ଡିସିପି କହିଛନ୍ତି ।
ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଜାତୀୟ ଯୁବ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ ଯାଉଥିବା ସମୟରେ ଜଣେ ଯୁବକ ହଠାତ୍ ସୁରକ୍ଷା ବଳୟ ଭାଙ୍ଗି ଧାଇଁ ଆସିଥିଲେ । ଉପସ୍ଥିତ ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ କାବୁ କରି ସହିଦନଗର ପୋଲିସ ଜିମା ଦେଇଥିଲେ ।