ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସହଯୋଗରେ ନ୍ୟାସନାଲ୍ ସ୍କୁଲ ଅଫ ଡ୍ରାମାର ଶାଖା କେନ୍ଦୁଝରରେ ପ୍ରତିଷ୍ଠା ହେବ ଏବଂ ଏହାର ସମସ୍ତ ଆନୁସଙ୍ଗିକ ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ କରିବେ। କଳା ଏବଂ ସଂସ୍କୃତି ଯେକୌଣସି ସମାଜର ଆତ୍ମା। ଏହା ଦ୍ବାରା ଆମର ଚିନ୍ତାଧାରା, ଆମର ସଂଘର୍ଷ, ଆମର ଆଶା ଏବଂ ଆମର ସ୍ୱପ୍ନକୁ ପ୍ରତିଫଳିତ ହୋଇଥାଏ । ମଙ୍ଗଳବାର ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
କେନ୍ଦୁଝର ଜିଲ୍ଲା ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯେ ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ। ଏହା କେବଳ ମନୋରଞ୍ଜନ କରେ ନାହିଁ ବରଂ ଶିକ୍ଷା ମଧ୍ୟ ଦିଏ। ଏହା ପ୍ରଶ୍ନ ପଚାରେ, ସଚେତନତା ବାଣ୍ଟେ ଆଉ ଦର୍ଶକଙ୍କୁ ଭାବ ସହିତ ସମାଜର ଭାବକୁ ଯୋଡ଼ିଥାଏ। ନାଟକ ମାଧ୍ୟମରେ, ଆମେ ସହାନୁଭୂତି, ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ଆତ୍ମ-ପ୍ରକାଶ ଶିଖୁ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କଳାକୁ ଏବଂ କଳାକାରକୁ ଉଚିତ ସମ୍ମାନ ଦେଖାଇ ସରକାର କଳାକାରମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି । କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଯୁବ ପ୍ରତିଭାକୁ ସମର୍ଥନ କରିବା, ପାରମ୍ପରିକ ରୂପ ସଂରକ୍ଷଣ କରିବା, ଏବଂ ସୃଜନଶୀଳ ପ୍ରକାଶନ ପାଇଁ ନୂତନ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ । ଯୁବପିଢ଼ି ବଡ଼ ସ୍ୱପ୍ନ ଦେଖନ୍ତୁ କିନ୍ତୁ ସେମାନଙ୍କର ମୂଳ ସହିତ ଜଡିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଏହି ସମାରୋହରେ ସାଂସଦ ଅନନ୍ତ ଚରଣ ନାୟକ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଶାଳ ସିଂହ, ଏନ୍ଏସଡ଼ିର ରେଜିଷ୍ଟ୍ରାର ପ୍ରଦୀପ ମହାନ୍ତି, ସ୍ପୀରିଜାର ପ୍ରତିଷ୍ଠାତା ପ୍ରଗତିକା ମହାନ୍ତି ପ୍ରମୁଖ ଉପସ୍ଥି ଥିଲେ।