ନୂଆଦିଲ୍ଲୀ: ଭାରତ ଉପରେ ଶୁଳ୍କ ଲାଗୁ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଜ ଦେଶ ଭିତରେ ସମସ୍ୟା ବୃଦ୍ଧି ପାଇଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସମେତ ଅନେକ ବ୍ୟୁରୋକ୍ରାଟ ଟ୍ରମ୍ପଙ୍କୁ ଭାରତ ସହିତ ସୃଷ୍ଟି କରିଥିବା ତିକ୍ତ ସଂପର୍କ ପାଇଁ ସମାଲୋଚନା କରୁଛନ୍ତି। ଏହା ମଧ୍ୟରେ ଆମେରିକାର କଂଗ୍ରେସ ମହିଳା ଡେବୋରା ରସ୍ ଏବଂ ରୋ ଖାନ୍ନାଙ୍କ ନେତୃତ୍ୱରେ ୧୯ ଜଣ ସାଂସଦ ଟ୍ରମ୍ପଙ୍କୁ ଚିଠି ଲେଖି ଭାରତ ସହିତ ସମ୍ପର୍କକୁ ତୁରନ୍ତ ସୁଧାରିବା ପାଇଁ ଅନୁରୋଧ କରିଛନ୍ତି। ସେମାନେ ଟ୍ରମ୍ପ ପ୍ରଶାସନକୁ ଭାରତ ଉପରେ ଲାଗୁ ହୋଇଥିବା ଶୁଳ୍କ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି।
ବୁଧବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଲେଖିଥିବା ଚିଠିରେ ଏହି ଆମେରିକୀୟ ସାଂସଦମାନେ କହିଛନ୍ତି, "ସମ୍ପ୍ରତି ଶୁଳ୍କ ବୃଦ୍ଧି, ଯାହା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ସହିତ ସମ୍ପର୍କକୁ ବିଗାଡି ଦେଇଛି। ଏହା ଉଭୟ ଦେଶ ପାଇଁ ନକାରାତ୍ମକ ପରିଣାମ ଆଣିଛି। ସମସ୍ତ ୧୯ ଜଣ ସାଂସଦ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସହଭାଗୀତାକୁ ପୁଣି ଥରେ ସୁଦୃଢ କରିବା ପାଇଁ ଆହ୍ୱାନ କରିଛନ୍ତି।
ସାଂସଦମାନେ ଲେଖିଛନ୍ତି, ୨୦୨୫ ଅଗଷ୍ଟ ଶେଷରେ, ଟ୍ରମ୍ପ ପ୍ରଶାସନ ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା, ଯେଉଁଥିରେ ୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ ଏବଂ ରୁଷରୁ ତୈଳ କ୍ରୟ ନେଇ ଅତିରିକ୍ତ ୨୫ ପ୍ରତିଶତ ଅନ୍ତର୍ଭୁକ୍ତ। ଏହି ଦଣ୍ଡାତ୍ମକ ଶୁଳ୍କ ଭାରତୀୟ ନିର୍ମାତା ଏବଂ ଆମେରିକୀୟ ଗ୍ରାହକ ଉଭୟଙ୍କୁ କ୍ଷତି ପହଞ୍ଚାଉଛି। ଏଥିରେଯୋଗାଣ ଶୃଙ୍ଖଳ କ୍ଷତି ପହଞ୍ଚିବା ସହ ଆମେରିକୀୟ କମ୍ପାନୀଗୁଡ଼ିକ ବଜାରକୁ ଉତ୍ପାଦ ଆଣିବା ପାଇଁ ନିର୍ଭର କରନ୍ତି।
ଆମେରିକୀୟ ସାଂସଦମାନେ ଏକ ବାଣିଜ୍ୟିକ ଅଂଶୀଦାର ଭାବରେ ଭାରତର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, "ଆମେରିକୀୟ ନିର୍ମାତାମାନେ ସେମିକଣ୍ଡକ୍ଟରଠାରୁ ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ପର୍ୟ୍ୟନ୍ତ ପ୍ରମୁଖ ସାମଗ୍ରୀ ପାଇଁ ଭାରତ ଉପରେ ନିର୍ଭରଶୀଳ। ଭାରତରେ ନିବେଶ କରୁଥିବା ଆମେରିକୀୟ କମ୍ପାନୀଗୁଡ଼ିକ ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ଗ୍ରାହକ ବଜାର ମଧ୍ୟରୁ ଗୋଟିଏରେ ପ୍ରବେଶ ପାଆନ୍ତି। ଆମେରିକାରେ ଭାରତୀୟ ନିବେଶ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ନିଯୁକ୍ତି ଏବଂ ଆର୍ଥିକ ସୁଯୋଗ ସୃଷ୍ଟି କରିଛି। ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ଟ୍ରମ୍ପ ଭାରତ ସହ ଦ୍ୱିପାକ୍ଷିକ ସଂପର୍କରେ ସୁଧାର ଆଣି ପୁନଃସ୍ଥାପିତ କରିବାକୁ ଦାବି କରିଛନ୍ତି ।
Also read: ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ