ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରୁଷ ରାଷ୍ଟ୍ରପତିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଭାରତ-ରୁଷ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ରଣନୈତିକ ସହଭାଗୀତାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା କରିଥିଲେ।
ଅକ୍ଟୋବର ୭ ତାରିଖ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ୭୩ତମ ଜନ୍ମଦିନ। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରନ୍ତର ସଫଳତା ପାଇଁ ପ୍ରାର୍ଥନା କରିଥିଲେ।
ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ପାଇଁ ଫୋନ୍ କରିଥିଲେ। ଉଭୟ ନେତା ଭାରତ ଏବଂ ଋଷ ମଧ୍ୟରେ ରଣନୈତିକ ସହଭାଗୀତାକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ। ସେମାନେ ରାଷ୍ଟ୍ରପତି ପୁଟିନଙ୍କ ଆଗାମୀ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
ଏହି ବିବୃତ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବରରେ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ରୁଷ ରାଷ୍ଟ୍ରପତି ପୁଟିନଙ୍କ ମତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ସ୍ୱାଧୀନ ଏବଂ ସାର୍ବଭୌମ ନୀତି ଅନୁସରଣ କରୁଛି। ବିଶେଷକରି ଅର୍ଥନୈତିକ କ୍ଷେତ୍ରରେ, ଭାରତର ଫଳାଫଳ ଉତ୍କୃଷ୍ଟ। ସର୍ବାଧିକ ଅଭିବୃଦ୍ଧି ହାର ସହିତ, ଭାରତ ବିଶ୍ୱର ପ୍ରମୁଖ ଅର୍ଥନୀତିରେ ସାମିଲ ହୋଇଛି।