କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଣି ବାଘ ଆତଙ୍କ । ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ କାଦବସନ୍ତ ଗାଁରେ ଏକ ଗାଈକୁ ଜଙ୍ଗଲ ଭିତରକୁ ଘୋଷାଡି ନେଇ ମାରିଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ବାଘକୁ ଠାବ ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ବାଘର ପାଦ ଚିହ୍ନ ଚିହ୍ନଟ ହୋଇଛି। ଜଙ୍ଗଲକୁ ନଯିବା, ଗାଈଗୋରୁ , ଛେଳି ମେଣ୍ଢା ଆଦି ନଛାଡିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। କିଛି ଦିନ ତଳେ ବାଘ ପାଇଁ ଅଞ୍ଚଳବାସୀ ଭୟଭୀତ ଥିବା ବେଳେ ପୁଣି ବାଘ ଆତଙ୍କ ଦେଖା ଦେଇଛି।
ସୂଚନା ଅନୁସାରେ ଗତଦୁଇ ଦିନ ତଳେ ମହାବିରୋଡ଼ ରେଞ୍ଜ ମଦରଙ୍ଗାମୁଣ୍ଡା ଗାଁରେ ସମାନ ଢଙ୍ଗରେ ଏକ ଗାଈକୁ ଆକ୍ରମଣ କରିଥିଲା ବାଘ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ମହାବିରୋଡ଼ ରେଞ୍ଜର ଓ ବନକର୍ମଚାରୀ ପହଞ୍ଚି ବାଘର ପାଦଚିହ୍ନ ଠାବ କରିବା ସହ ତାର ଗତିବିଧି ଉପରେ ନଜର ରଖିଥିଲେ । ବାଘଟି ଏବେ ମହାବିରୋଡ଼ ରେଞ୍ଜରୁ ପଳାଇ ଆସି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାଦବସନ୍ତ ଗ୍ରାମରେ ଆତଙ୍କ ସୃଷ୍ଟି କରିଛି । ସ୍ଥାନୀୟ ବନ ଅଧିକାରୀଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଟିମ ଏବଂ ଢେଙ୍କାନାଳର ରେସ୍କ୍ୟୁ ଟିମ ବାଘକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।