ଭୁବନେଶ୍ୱର: ମାଲକାନଗିରିରେ ଜଙ୍ଗଲ ଜମି ହଡ଼ପ ମାମଲାରେ ନାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଛାଟ ପରେ ବନ ବିଭାଗର ଚେତା ପଶିଛି । ଡିଏଫଓଙ୍କୁ ରିପୋର୍ଟ ତଲବ କରିଛନ୍ତି ବନ ବିଭାଗ ପିସିସିଏଫ୍ । ଜଙ୍ଗଲ ଜମି କେଉଁ ପ୍ରକାର ଓ କେଉଁ କିସମର ସେ ନେଇ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛନ୍ତି । ଯଦି ତାହା ଜଙ୍ଗଲ ଜମି ବୋଲି ସ୍ପଷ୍ଟ ହୁଏ ତେବେ ବେଆଇନ ଜବର ଦଖଲକୁ ଉଚ୍ଛେଦ କରାଯିବ ବୋଲି ପିସିସିଏଫ୍ କହିଛନ୍ତି । କୌଣସି ବିନ ବିଭାଗ କର୍ମଚାରୀଙ୍କ ଜାଣତରେ ଯଦି ଏସବୁ ହୋଇ ଥାଏ, ତାହା ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମାଲକାଲଗିରି ଜିଲ୍ଲା ମୋଟୁରେ ୧୦୦ ଏକର ପରିମିତ ଜଙ୍ଗଲ ଜମିରେ ଇସଲାମ ନଗର ନିର୍ମାଣକୁ ନେଇ ଗ୍ରୀନ ଟ୍ରିବ୍ୟୁନାଲ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଜମିରେ ରାସ୍ତା ଘାଟ, ଘର ଓ ତାର ବାଡ଼ ନିର୍ମାଣକୁ ନେଇ ଏନଜିଟି ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ମାମଲାରେ ସୋ-ମୋଟୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ, ବନ ବିଭାଗର ମୁଖ୍ୟ ପିସିସିଏଫ୍ ଏବଂ ରାଜ୍ୟ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ନୋଟିସ କରିଛନ୍ତି ଏନଜିଟି । ମାମଲାର ଶୁଣାଣୀ ଆସନ୍ତା ଡିସେମ୍ବର ୩ ତାରିଖରେ କରାଯିବ । ଏହାର ସପ୍ତାହକ ପୂର୍ବରୁ ଜବାବ ରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଜମି ଉପରେ କିପରି ଘର ଓ ରାସ୍ତା ନିର୍ମାଣ ହେଲା ତାହାର ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି ।
ମୋଟୁ ଦେଇ ଯାଇଥିବା ଜାତୀୟ ରାଜପଥ-୩୨୬ ପାଖରେ ଥିବା ଘଞ୍ଚ ଜଙ୍ଗଲ ଜମିରେ ଇସଲାମ ନଗର ନିର୍ମାଣ ହୋଇଛି । ଜଙ୍ଗଲ ସଂରକ୍ଷଣ ଧାରା ୧୯୮୦ ଓ ପରିବେଶ ସୁରକ୍ଷା ଧାରା ୧୯୮୬ ଆଇନର ଏହା ଉଲ୍ଲଂଘନ କରୁଛି ।