ଓଡ଼ିଶା ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ହୋଇଥିବା ଅଭିଯାଗ ହୋଇଛି। ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲରେ ଏହି ଅଘଟଣ ଘଟିଛି। ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ହସ୍ପିଟାଲ ପରିସର ଭିତରକୁ ଟାଣି ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଯୁବତୀଙ୍କ ଘର ଓଡ଼ିଶାର ବାଲେଶ୍ବରର ଜଳେଶ୍ୱର ବୋଲି ଜଣା ପଡିଛି।
ଆରଜି କର ମେଡିକାଲର ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୀଡ଼ିତା ଯୁବତୀ ଜଣକ କୋଲକାତାରୁ ୧୭୦ କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମବଙ୍ଗ ଦୁର୍ଗାପୁରର ଶୋଭାପୁର ନିକଟରେ ଅବସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ MBBS ପଢୁଛନ୍ତି। ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଶୁକ୍ରବାର ରାତି ୮.୩୦ ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। କ୍ୟାମ୍ପସ ଗେଟ୍ ନିକଟରେ,ଚାରିରୁ ପାଞ୍ଚ ଜଣ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଗଣଦୁଷ୍କର୍ମ କରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ଯୁବତୀଙ୍କ ସହିତ ଆସିଥିବା ପୁରୁଷ ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି। ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ। ତଦନ୍ତକାରୀ ଟିମ୍ ଘଟଣାର ବିଭିନ୍ନ ଦିଗକୁ ଯାଞ୍ଚ କରୁଛନ୍ତି।