ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ହବ୍ ପାଲଟିବ ଓଡ଼ିଶା । ଓଡ଼ିଶା ସେମିକଣ୍ଡକ୍ଟର ହବ୍ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଦିଲ୍ଲୀରେ ଆୟୋଜିତ ପ୍ରତିଷ୍ଠିତ SEMICON-India ୨୦୨୫ ସମ୍ମିଳନୀରେ ଅଂଶଗ୍ରହଣ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆୟୋଜକ ରାଜ୍ୟ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏଥିରେ ଯୋଗ ଦେଇଥିବା ବେଳେ ଅନ୍ୟ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଏହି ସମ୍ମିଳନୀରେ ସାମିଲ ହୋଇ ଓଡ଼ିଶା ପାଭିଲିୟନକୁ ଉଦଘାଟନ କରିଛନ୍ତି ।
ଏହି ସମ୍ମିଳନୀ ବିଶ୍ୱର ନେତା, ନୀତି ନିର୍ମାତା, ଗବେଷକ, ଷ୍ଟାର୍ଟଅପ୍ ଓ ଶିଳ୍ପର ଅଗ୍ରଣୀ ବ୍ୟକ୍ତିମାନଙ୍କୁ ଏକତ୍ରିତ କରି ଭାରତର ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ଗଢିବା ପାଇଁ ଏକ ପରିବର୍ତ୍ତନଶୀଳ ମଞ୍ଚ ସାଜିଛି । ଏହି ଅବସରରେ ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପର ଉନ୍ମୋଚନ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି । ଯାହା ଭାରତକୁ ବିଶ୍ୱରେ ଟେକ୍ନୋଲୋଜି ଓ ନୂତନତ୍ୱରେ ନେତୃତ୍ୱ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଥମ ସେମିକଣ୍ଡକ୍ଟର ଚିପ୍କୁ ଏହି କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ଏହି ଚିପ୍ ପ୍ରଦାନ କରିଛନ୍ତି । ଏହା ଇସ୍ରୋର ସେମିକଣ୍ଡକ୍ଟର ଲ୍ୟାବ୍ ର ପ୍ରସ୍ତୁତ କରାଯାଇଛି।
ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତରେ ଓଡ଼ିଶାର ଯୋଗଦାନ
ସ୍ୱଦେଶୀ ଜ୍ଞାନକୌଶଳରେ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତରେ ଓଡ଼ିଶାକୁ ମିଳିଛି ସଫଳତା । ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ଚିପ୍ରେ ଓଡ଼ିଶାର ଯୋଗଦାନ ଥିବାରୁ ରାଜ୍ୟପାଇଁ ଏହା ଅତି ଗୌରବର କଥା ବୋଲି ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାରଣ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିପ୍ ପ୍ରଦାନ କରାଯାଇଛି, ସେଥିରେ ଓଡ଼ିଶାର ୩ଟି ସ୍ଥାନ ପାଇଛି। ଏନଆଇଟି ରାଉରକେଲାର ସେମିକଣ୍ଡକର ଲ୍ୟାବରୁ ୨ଟି ଏବଂ ବ୍ରହ୍ମପୁର ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ଗୋଟିଏ ଚିପ୍ ସ୍ଥାନ ପାଇଛି। ଓଡ଼ିଶା ପାଭଲିୟନ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶରୁ ଆସିଥିବା ନିବେଶକଙ୍କ ସହ ଓଡ଼ିଶାରେ ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରି ନିବେଶ କରିବାକୁ ନିମନ୍ତ୍ରଣ କରିଛନ୍ତି। ଓଡ଼ିଶାର ଏହି ସଫଳତା ରାଜ୍ୟର ଶିକ୍ଷା, ଗବେଷଣା, ଉଦ୍ଭାବନ କ୍ଷେତ୍ରରେ ଅଗ୍ରଗତିର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କ’ଣ ଏହି ସେମିକଣ୍ଡକ୍ଟର?
- ସେମିକଣ୍ଡକ୍ଟର ସାଧାରଣତଃ ସିଲିକନରୁ ତିଆରି ଏକ ଚିପ୍
- ଏକ ଛୋଟ ଇଲେକ୍ଟ୍ରୋନିକ୍ ଉପକରଣ ପରି କାମ କରେ
- ଏହାର ବ୍ୟବହାର କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟଟିଭିରେ ହୋଇଥାଏ
- ମୋବାଇଲ ଫୋନ୍, ଗାଡ଼ି, ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ଗ୍ୟାଜେଟରେ ବ୍ୟବହାର ହୁଏ
- ଡିଜିଟାଲ କ୍ୟାମେରା, ଯୋଗାଯୋଗ ଉପକରଣ, ଟ୍ରେନ୍ ଏବଂ ଏଟିଏମ୍ କାର୍ଡରେ ଅଛି ସେମିକଣ୍ଡକ୍ଟର
- ଏହା ଡିଜିଟାଲ ଡିଭାଇସର ନିୟନ୍ତ୍ରଣ ଏବଂ ମେମୋରିକୁ ପରିଚାଳନା କରେ
- ଏହା ଇଲେକ୍ଟ୍ରୋନିକ ସର୍କିଟର ମୌଳିକ ବିଲ୍ଡିଂ ବ୍ଲକ୍ ଭାବେ କାମ କରେ
- ଡାଟାର ଦ୍ରୁତ ପ୍ରୋସେସିଂ ଓ ସଂଗ୍ରହ ସହିତ ଏଆଇ ଏବଂ ମେସିନ ଲର୍ଣ୍ଣିଂ ପାଇଁ ସେମିକଣ୍ଡକ୍ଟର ଆବଶ୍ୟକ