ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପରିମଳ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ସହିତ କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ସେମାନଙ୍କୁ ନ୍ୟାୟ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା ନୈତିକ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ସଫେଇ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଜାତୀୟ କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ କର୍ମଶାଳାର ବିଷୟବସ୍ତୁ ହେଉଛି ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ । ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେଗୁଡିକ ହେଲା ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ପ୍ରମୁଖ ପରିମଳ କର୍ମଚାରୀ (ସ୍ୱରେଜ ଓ ସେଫ୍ଟିକ୍ ଟାଙ୍କି ସଫେଇ କର୍ମଚାରୀ)ଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା, କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ସଫେଇ କର୍ମୀଚାରୀଙ୍କୁ ମୋବାଇଲ ଫୋନ ଓ ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ବାସଗୃହ ପ୍ରଦାନ କରାଯିବ । ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ ଆଇଇସି କାର୍ଯ୍ୟକ୍ରମ କରାଯିବ। ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୋଜିତ କର୍ମଶାଳା କେବଳ ଏକ ବୈଠକ ନୁହେଁ, ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ ରଖୁଥିବା ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଆମର ପ୍ରତିବଦ୍ଧତା। ସେମାନଙ୍କୁ ନ୍ୟାୟ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା ହେଉଛି ଆମର ନୈତିକ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ଜଗନ୍ନାଥ ସଂସ୍କୃତିରେ ଛେରା ପହଁରା ସ୍ୱଚ୍ଛତାର ଏକ ପ୍ରମୁଖ ଉଦାହରଣ। ଏଥିରେ ସଫେଇ କାର୍ଯ୍ୟର ମର୍ଯ୍ୟାଦା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସେ କହିଥିଲେ ଓଡିଶାର ଗରିମା ଯୋଜନା ପରିମଳ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟଦା ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରୁଛି । ଗରିମା ଯୋଜନା ଜାତୀୟ ପରିମଳ ଲକ୍ଷ୍ୟକୁ ପୂରଣ କରିବା ସହିତ ଅନେକ ରାଜ୍ୟ ପାଇଁ ପ୍ରେରଣାଦାୟୀ ହୋଇଛି ।
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଗରିମା ଯୋଜନା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନାରେ ପରିମଳ କର୍ମୀଙ୍କୁ ଚିହ୍ନଟକରଣ ଓ ପରିଚୟ ପ୍ରଦାନ, ସୁରକ୍ଷା ଉପକରଣ ପ୍ରଦାନ, ଦକ୍ଷତା ବିକାଶ, ଆପତକାଳୀନ ପରିମଳ ସେବା ୟୁନିଟ ସ୍ଥାପନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି । ରାଜ୍ୟର ୧୧୫ଟି ସହରର ୧୦ ହଜାର ରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଓ ଅତିକୁଶଳୀ କର୍ମଚାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି ।
ଏହି ଅବସରରେ କର୍ମଶାଳା ପରିସରରେ ଆୟୋଜିତ ପରିମଳ କାର୍ଯ୍ୟ ସମ୍ପର୍କିତ ଆଧୁନିକ ଉପକରଣ ଏବଂ ସୁରକ୍ଷା ଉପକରଣର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ପରିମଳ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କର୍ମଶାଳାରେ ୭ଟି ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସରକାରୀ ଅଧିକାରୀ ଓ ସଫେଇ କର୍ମଚାରୀମାନେ ଯୋଗ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସଚିବ ଅମିତ ଯାଦବ କହିଛନ୍ତି ଯେ ଓଡିଶା ସରକାର ପରିମଳ କର୍ମଚାରୀ ମାନଙ୍କ କଲ୍ୟାଣ ପ୍ରତି ପ୍ରତିବଦ୍ଧ ଅଛନ୍ତି । ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେଉଛି ପରିମଳ କର୍ମଚାରୀଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା।
ମୁଖ୍ୟମନ୍ତ୍ରୀ ୭ଟି ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସରକାରୀ ଅଧିକାରୀ ଓ ସଫେଇ କର୍ମଚାରୀମାନ ଯୋଗ ଦେଇଥିଲେ ।