ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ କରିଛନ୍ତି । ଦୁଇ ଠିକା ସଂସ୍ଥା ସହିତ ସମସ୍ତ ପୁରୁଣା ଟେଣ୍ଡରକୁ ବାତିଲ କରାଯାଇଛି ।
ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା ଟେଣ୍ଡରକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି । ଗତ ସରକାର ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ କୁ ଟେଣ୍ଡର୍ ଦେଇଥିଲେ । ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। । କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ଵେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି । ପ୍ରାୟ ୮ ମାସ ହେଲା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି । ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ରାଜ୍ୟ ସରକାର ଚୁକ୍ତି ବାତିଲ କରିଥିବା କୁହାଯାଉଛି । ମେଟ୍ରୋ ପ୍ରକଳ୍ପର ନୂଆ ରୂପରେଖ ପ୍ରସ୍ତୁତ ପାଇଁ କମିଟି ହୋଇଛି । ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି । ମେଟ୍ରୋର ନୂଆ ରୂପରେଖ ଓ ଡିପିଆର୍ ପ୍ରସ୍ତୁତ ହେବ ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପ୍ରସ୍ତାବ ଦେଇନଥିବା ନେଇ ସଂସଦରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ତୋଖାନ ସାହୁ । ଟିଡିପି ସାଂସଦ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ତୋଖାନ ସାହୁ ସୂଚନା ଦେଇଛନ୍ତି ଯେ ବିଭିନ୍ନ ରାଜ୍ୟରୁ ଆସିଥିବା ୧୭ଟି ମେଟ୍ରୋ ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁରୀ ଦେଇଛି । କିନ୍ତୁ ଏହି ତାଲିକାରେ ଓଡ଼ିଶାର ନାମ ନାହିଁ । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ଓଡ଼ିଶା ସରକାର କୌଣସି ପ୍ରସ୍ତାବ କେନ୍ଦ୍ରକୁ ପଠାଇନାହାନ୍ତି । ଅନ୍ୟସବୁ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ କରିବା ପରେ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ପୂର୍ବ ସରକାର କିମ୍ବା ବର୍ତ୍ତମାନ ସରକାର କୌଣସି ପ୍ରସ୍ତାବ ଦେଇ ନ ଥିବା ମନ୍ତ୍ରୀ କହିଛନ୍ତି ।