ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ଚିତ୍ରଡା ଠାରେ ଥିବା ରଜାବନ୍ଧ କଲଭର୍ଟ ଉପରେ ୩ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଚିତ୍ରଡା -ବାରିପଦା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାତାୟାତ ଠପ୍ ହୋଇଯାଇଛି । ଫଳରେ ରାସଗୋବିନ୍ଦପୁର, ମୋରୋଡା, ଚିତ୍ରଡା ସମ୍ପୂର୍ଣ୍ଣ ଭାବେ ଜିଲ୍ଲା ସଦର ମହକୁମା ବାରିପଦା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାଣି ମଧ୍ୟରେ ଯିବା ଆସିବା କରିବା ପାଇଁ ଲୋକମାନେ ଭୟ କରୁଛନ୍ତି । ତେଣୁ ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଛି । ଲଘୁଚାପ ଜନିତ ପ୍ରବଳ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ଅନେକ ବ୍ଲକ ବେହାଲ ହୋଇପଡିଛି । ଜିଲ୍ଲାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ବାରା ନଦୀ ଗୁଡିକରେ ଜଳସ୍ତର ମଧ୍ଯ ବୃଦ୍ଧି ପାଇଛି। ଫଳରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଯାଇଛି।
ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା, ବୈତରଣୀ ନଦୀର ଜଳସ୍ତର। ସକାଳ ୧୦ଟା ସୁଦ୍ଧା ମଥାନୀଠାରେ ଜଳକା ୭.୨୦ ମିଟର ପ୍ରବାହିତ ହେଉଥିବା ବେଳେ ସତର୍କ ସଙ୍କେତ ଉପରେ ବୈତରଣୀ ୩୭.୮୦୦ ମିଟର ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଲା ବନ୍ୟା ଆଶଙ୍କା ବଢିଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି।