ଭୁବନେଶ୍ୱର: ଘରେ ପୁଳା ଟଙ୍କା, ସୁନା ଏବଂ ରୁପା ସାଇତି ରଖିଥିବା କୋଟିପତି ବନ ଅଧିକାରୀଙ୍କୁ ବାନ୍ଧିଛି ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳ । କୋରାପୁଟ ଜିଲ୍ଲା ଜୟପୁର ଡେପୁଟି ରେଞ୍ଜର୍ ରାମଚନ୍ଦ୍ର ନେପାକ ଶନିବାର ଗିରଫ ହୋଇଛନ୍ତି ।
ଗତକାଲି ଭିଜିଲାନ୍ସ ଟିମ୍ ରାମଚନ୍ଦ୍ର ନେପାକଙ୍କ ଜୟପୁର କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା । ତାଙ୍କ ଟଙ୍କା, ସୁନା ଏବଂ ରୁପା ଗହଣାକୁ ଦେଖି ଭିଜିଲାନ୍ସ ଟିମ୍ ତାଜୁବ ହୋଇଯାଇଥିଲା । ଜୟପୁର ଗୋଲ୍ଡେନ୍ ହାଇଟ୍ସ ଆପାର୍ଟମେଣ୍ଟର ୫୧୦ ନମ୍ବର ଫ୍ଲାଟରେ ସିକ୍ରେଟ୍ ଚାମ୍ବରରୁ ବିଡ଼ା ବିଡ଼ା ଟଙ୍କା ବାହିରଥିଲା । ମୋଟ ୧ କୋଟି ୪୪ ଲକ୍ଷ ଟଙ୍କା କ୍ୟାସ୍ ଜବତ କରାଯାଇଛି । ପ୍ରାୟ ଦେଢ଼ କିଲୋ ସୁନା ଓ ସାଢ଼େ ଚାଲି କିଲୋ ରୁପା ଠାବ କରାଯାଇଛି । ୪ଟି ସୁନା ବିସ୍କୁଟ ଏବଂ ୧୬ଟି ସୁନା କଏନ୍ ମଧ୍ୟ ମିଳିଛି । ପ୍ରତ୍ୟେକ ସୁନା କଏନର ଓଜନ ୧୦ ଗ୍ରାମ ରହିଛି । ୧ କୋଟି ୩୨ ଲକ୍ଷ ବ୍ୟାଙ୍କ ଜମା ରାଶି, ଏକ ବହୁମହଲା ବିଶିଷ୍ଟ ଘର, ୩ଟି ଫ୍ଲାଟ୍, ୨ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୧.୫୦୪ କିଲୋଗ୍ରାମ ସୁନା, ୪.୬୩୭ କିଲୋଗ୍ରାମ ରୂପା ଓ ୨ଟି ଚାରି ଚକିଆ ଗାଡ଼ି ଠାବ କରାଯାଇଥିଲା । ଏ ସମସ୍ତ ସମ୍ପତ୍ତି ତାଙ୍କ ଆୟଠାରୁ ବହୁ ମାତ୍ରାରେ ଅଧିକ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଛି । ସେହିପରି ଗୋଟେ ଚାରି ଚକିଆ ଗାଡ଼ି ଏବଂ ଅନ୍ୟାନ୍ୟ ଜମା ରାଶି ମଧ୍ୟ ରହିଛି ।
ଜବତ ସମ୍ପତ୍ତିର ଆୟ ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ନେପାକଙ୍କୁ ଗିରଫ କରିଛି । ଏହି ଚଢ଼ାଉରେ ୬ଜଣ ଡ଼ିଏସପି, ୫ ଇନିସ୍ପେକ୍ଟରଙ୍କ ସମେତ ୯ଜଣ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଏହି ସାମିଲ ଅଛନ୍ତି ।
ରାମଚନ୍ଦ୍ର ନେପାକ ୧୯୮୯ ମାର୍ଚ୍ଚ ୯ ତାରିଖରେ କୋରାପୁଟ ସୋସିଆଲ୍ ଫରେଷ୍ଟ୍ରୀ ଡିଭିଜନରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ଜୟପୁର ରେଞ୍ଜରେ ଡେପୁଟି ରେଞ୍ଜର ଏବଂ ଭାରାପ୍ରାପ୍ତ ରେଞ୍ଜରଭାବେ କାର୍ଯ୍ୟରତ ଅଛନ୍ତି । ସେ ଚଳିତ ବର୍ଷରୁ କାର୍ଯ୍ୟରୁ ଅବସର ଗ୍ରହଣ କରିଥାଆନ୍ତେ । କିନ୍ତୁ ତା ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।