ସମ୍ବଲପୁର: ଜଳ ପ୍ରପାତରେ ଗାଧୋଇବାକୁ ଯାଇଥିବାବେଳେ ସମ୍ବଲପୁର ବୁର୍ଲାସ୍ଥିତ ଭୀମସାର ମେଡ଼ିକାଲର ଦୁଇ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଡାକ୍ତରୀ ଛାତ୍ରୀଙ୍କ ନାମ ମୋନିକା ମୀନା ହୋଇଥିବାବେଳେ ଛାତ୍ରଙ୍କ ନାମ ସନ୍ଦୀପ ପୁରୀ ବୋଲି ଜଣା ପଡ଼ିଛି l ଉଭୟ ରାଜ୍ୟ ବାହାରର ଅଟନ୍ତି । ଅନ୍ୟ ୪ ଜଣ ସୁରକ୍ଷିତ ଅଛନ୍ତି । ଏ ନେଇ ରେଢ଼ାଖୋଲ ଏସଡିପିଓ ସୂଚନା ଦେଇଛନ୍ତି ।
ବୁର୍ଲା ମେଡ଼ିକାଲ କଲେଜର ଏମବିବିଏସର ଶେଷ ବର୍ଷର ୬ ଜଣ ଛାତ୍ରଛାତ୍ରୀ ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ମୋନିକା ମୀନା ଓ ସନ୍ଦୀପ ପୁରୀ ବୁଡ଼ି ଯାଇଥିଲେ । ଅନ୍ୟମାନେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମବାହିନୀ ବହୁତ ଖୋଜାଖୋଜି କରିବା ପରେ ଦୁଇ ଜଣ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରି ଯୁଯୁମରା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଜଣଙ୍କ ଘର ରାଜସ୍ଥାନରେ ହୋଇଥିବାବେଳେ ଅନ୍ୟ ଜଣଙ୍କ ଘର ନୂଆଦିଲ୍ଲୀରେ ବୋଲି ଜଣାପଡ଼ିଛି ।
ଖବରପାଇ ବୁର୍ଲା ମେଡିକାଲ୍ ଅଧୀକ୍ଷକ ଓ ଡିନ୍ ଘଟଣାସ୍ଥଳରେ ପହଁଚିଛନ୍ତି । ତେବେ ପୂର୍ବରୁ ମେଡ଼ିକାଲ କର୍ତ୍ତୃପକ୍ଷ କିଛିଟା ସ୍ଥାନକୁ ବୁଲି ନ ଯିବାକୁ ନୋଟିସ୍ ଜାରି କରିଥିଲେ ।