ଭୁବନେଶ୍ୱର: ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା, ବୈତରଣୀ ନଦୀର ଜଳସ୍ତର। ସକାଳ ୧୦ଟା ସୁଦ୍ଧା ମଥାନୀଠାରେ ଜଳକା ୭.୨୦ ମିଟର ପ୍ରବାହିତ ହେଉଥିବା ବେଳେ ସତର୍କ ସଙ୍କେତ ଉପରେ ବୈତରଣୀ ୩୭.୮୦୦ ମିଟର ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଲା ବନ୍ୟା ଆଶଙ୍କା ବଢିଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି।
ଏହାର ପ୍ରଭାବରେ ଭଦ୍ରକର ଧାମନଗର, ବାଲେଶ୍ବରର ଚାନ୍ଦବାଲି ଅଞ୍ଚଳ ଏବଂ ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳ ପ୍ରଭାବିତ ହେବ । ଏନେଇ କ୍ଷେତ୍ର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି।
ସେପଟେ ଲଗାଣ ବର୍ଷାରେ ଫୁଲୁଛି ଦେଓ ନଦୀର ଜଳସ୍ତର ଫଳରେ ଉଦଳା ଇଁସାରି ନିକଟରେ ଥିବା ପୋଲ ଉପରେ ୪ ଫୁଟ୍ର ପାଣି ଚାଲୁଛି। ଉଦଳା-ବାଲେଶ୍ବର ମୁଖ୍ୟ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ସେହିପରି ଆସନ୍ତାକାଲି ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖା ଦେବ। ବର୍ତ୍ତମାନ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ହୀରାକୁଦକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।ରେଙ୍ଗାଲି ଡ୍ୟାମ୍ରେ ୩ଟି ଗେଟ୍ ଦେଇ ପାଣି ଚାଲିଛି।