ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପ୍ରେମ ପାଇଁ ଝିଅ ପରିବାର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଥିବା ଅଭିଯୋଗ ହୋଇଛି । ଶିଶୁକନ୍ୟା ସହ ପରିବାରର ୬ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ଗତ ୬ ମାସ ପୂର୍ବରୁ ଉମାକାନ୍ତଙ୍କ ଝିଅ ପରିବାର ଲୋକଙ୍କ ଅନିଚ୍ଛାରେ ସୁକିନ୍ଦା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରି ଘରୁ ଫେରାର ହୋଇଯାଇଥିଲା । ଯାହାକୁ ପରିବାର ଲୋକେ ସମ୍ପୂର୍ଣ୍ଣ ବିରୋଧ କରୁଥିଲେ । ବିବାହର କିଛି ଦିନ ପରେ ଉମାକାନ୍ତଙ୍କ ଭାଇମାନେ ବୁଝାସୁଝା କରି ଝିଅ ଓ ଜ୍ୱାଇଁକୁ ଘରକୁ ଆଣିଥିଲେ । ହେଲେ ବାପା ପ୍ରେମ ବିବାହକୁ ସ୍ୱୀକୃତି ଦେଉନଥିବାରୁ ସର୍ବଦା ବିବାଦ ଲାଗି ରହୁଥିଲା । କଥା କଟାକଟିକୁ ନେଇ ମାଡଗୋଳ ମଧ୍ୟ ହୋଇଥିଲା । ଏନେଇ ଥାନାରେ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା । ଗତକାଲି ଝଗଡ଼ା ହେବା ପରେ ଝିଅ ରାଗିଯାଇ ଖାଦ୍ୟରେ ବିଷ ମିଶାଇ ପରିବାର ଲୋକଙ୍କୁ ଖାଇବାକୁ ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।